ନୟାଗଡ଼,(ବାଘୁଆବାର୍ତ୍ତା): ମହାପ୍ରଭୃ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ରଥ ନିର୍ମାଣ ନିମନ୍ତେ କାଠ ସଂଗ୍ରହ ଅନୂକୂଳ ପୂଜା ଆଜି ନୟାଗଡ଼ ଜିଲ୍ଲା ଗଣିଆ ବଡ଼ମୂଳ ସ୍ଥିତ ମା’ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏଥିନିମନ୍ତେ ଗତକାଲି ମହାପ୍ରଭୃ ଜଗନ୍ନାଥଙ୍କ ପାଖରୁ ଆଜ୍ଞାମାଳ ନୟାଗଡ଼ରେ ପହଂଚିଥିଲା । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଆସିଥିବା ୪ ଜଣିଆ ପ୍ରତିନିଧି ଦଳ ମହାପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଆଜ୍ଞାମାଳ, ମାହାର୍ଦ୍ଦ ଓ ପାଟପତନିଧରି ଆଜି ପୂର୍ବାହ୍ନରେ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ନିତିପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ, କ୍ୟାମେରାମ୍ୟାନ ଅଙ୍କିତ କୁମାର ସାହୁ ମା’ ବଡ ରାଉଳଙ୍କ ପୀଠରେ ପହଁଚିବା ପରେ ଘଂଟଘଟା ସହ ବିଶାଳ ସଂକୀର୍ତନ ଶୋଭାଯାତ୍ରା କରାଯାଇଥିଲା । ପରେ ଏସବୁ ଆଜ୍ଞାମାଳ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡି ଏବଂ ଦଶପଲ୍ଲା ବନାଚଂଳ ଅଧିକାରୀ ନିଖିଳେଶ ମଲ୍ଲିକଙ୍କୁ ସମର୍ପି ଥିଲେ । ଏହାପରେ ମା’ଙ୍କ ଠାରେ ଲାଗି କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ହୋମଯଜ୍ଞ ସହ ମା’ ଙ୍କ ପୀଠରେ ନାନାଦି ଭୋଗ ଲାଗି କରାଯାଇଥିଲା । ଶେଷରେ ପୁରୀରୁ ଆସିଥିବା ଏହି ପ୍ରତିନିଧି ଦଳ ମା’ଙ୍କୁ କାଠ କାଟିବା ପାଇଁ ଅନୁମତି ମାଗି ଫେରି ଯାଇଛନ୍ତି । ପ୍ରତିବର୍ଷ ଚତୁଃର୍ଦ୍ଧାମୂର୍ତିଙ୍କ ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ ପୂର୍ବରୁ ନୟାଗଡ ବନଖଣ୍ଡ ଅଧିନସ୍ଥ ଦଶପଲ୍ଲା ବନାଚଂଳରୁ ରଥକାଠ କାଟିବା ପାଇଁ ପ୍ରଥମେ ମା’ ଙ୍କ ଠାରୁ ଏହି ଅନୁମତି ମଗା ଯାଇଥାଏ । ଆଜି ନୟାଗଡ ବନଖଣ୍ଡ ଅଧିକାରୀ ଧନରାଜ୍ ଏଚ୍.ଡିଙ୍କ ସମେତ ଦଶପଲ୍ଲା ବନାଚଂଳ ଅଧିକାରୀ ଶ୍ରୀ ନାୟକ ହୋମରେ ବସି ପୂଜାର୍ଚ୍ଚନା କରିବା ସହ କାଠ କାଟିବା ପାଇଁ ମା’ଙ୍କ ଅନୁମତି ଲୋଡ଼ିଥିଲେ । ଏହାପରେ ପର୍ଯ୍ୟାୟକ୍ରମେ ଦଶପଲ୍ଲା ବନାଚଂଳର ବିଭିନ୍ନ ଜଙ୍ଗଲରୁ କାଠ କଟାଯାଇଛି । ମାଘମାସ ଶୁକ୍ଲ ଶ୍ରୀ ପଚଂମୀ ତଥା ସରସ୍ୱତୀ ପୂଜା ଦିନ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ଧଉରା ଏବଂ ଅସନ କାଠ ୨ ଟ୍ରିପ୍ ରଥଖଳାକୁ ପଠାଯିବାର ବିଦ୍ଧି ରହିଛି ।





