ପୁରୀ, (ବାଘୁଆବାର୍ତ୍ତା): ରଥର ଦଣ୍ଡା ପ୍ରସ୍ତୁତିରେ ଲାଗିଛନ୍ତି ବିଶ୍ୱକର୍ମା। ମୁଖ୍ୟ ପାଞ୍ଚ ଦଣ୍ଡା ଚଉପଟ କରିବା ପରେ ଏବେ ଚାଲିଛି ପାର୍ଶ୍ବ ଦଣ୍ଡା କାର୍ଯ୍ୟ। ବାରିସିରେ ହାଣି ପାର୍ଶ୍ଵ ଦଣ୍ଡା ତିଆରି ହେଉଛି। ଆଜି ୩ ରଥର ଦଣ୍ଡା ଫ୍ରେମ୍ ପ୍ରସ୍ତୁତି ପାଇଁ ଚାଲିଛି ଯୋଗାଡ଼। ପୂର୍ବରୁ ମୁହାଁଟରେ ବିନ୍ଧ ହୋଇ ପ୍ରସ୍ତୁତ ରହିଛି। କୁଡୁକା, ଗୁଜ ଓ ଜଳଯନ୍ତ୍ର ଆଦିର କାର୍ଯ୍ୟ ମଧ୍ୟ ସରିଛି। ଏସବୁକୁ ସଂଯୋଗ କରି ଦଣ୍ଡାର ଫ୍ରେମ୍ ପ୍ରସ୍ତୁତ ହେବ । ୩ ରଥର ମୋଟ ୪୨ ଚକ ଓ ୨୧ ଅଖ। ଆଗକୁ ସମସ୍ତ ଚକ ସହ ଅଖ ସଂଯୋଗ କରାଯିବ। ନିର୍ମାଣକାରୀଙ୍କ ନଜର ବର୍ତ୍ତମାନ ଏହି କାର୍ଯ୍ୟ ଉପରେ। ଚକ ଓ ଅଖ ଗୁଡିକ ମାପଚୁପ ହେଲେ ରଥର ମୂଳଦୁଆ ପ୍ରସ୍ତୁତ ହେବ। ଅଖ ଉପରେ ଦଣ୍ଡା ପଡ଼ିବ। ଦଣ୍ଡା ଉପରେ ଗରଗରା ରହିବ। ଗରଗରା ଉପରେ ଚାରି ନାହାକା ଉଠିବ। ଏହାପରେ ରଥ ଉପରି ଭାଗ କାମ ଆରମ୍ଭ ହେବ। ଚାରିନାହାକାରେ ସାଲ କାର୍ଯ୍ୟ ଶେଷ ହୋଇଛି। ସ୍ନାନ ପୂର୍ଣ୍ଣିମା ସୁଦ୍ଧା ରଥରେ ଚାରି ନାହାକା ଉଠଯିବାର ପରମ୍ପରା ରହିଛି। ଏହାପରେ ରଥ ଖଳାରେ ଗୟଳ ଓ ଭୂଇଁ କାର୍ଯ୍ୟ ଚାଲିବ । ସେପଟେ ରୂପକାର ସେବକମାନେ ତିନି ରଥର ସିଂହାସନ ମୁହାଁଟିରେ ଖୋଦେଇ କାର୍ଯ୍ୟ କରୁଛନ୍ତି।






