ନାବାଳିକା ଦୁଷ୍କର୍ମ ଘଟଣା
ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ପୋସ୍କୋ ସ୍ୱତନ୍ତ୍ର ଅଦାଲତ ଏକ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜୋରିମାନା ଆଦେଶ ଶୁଣାଇଛନ୍ତି । ସୂଚନାନୁସାରେ, ଦଶପଲ୍ଲା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଗତ ୨୦୧୮ ମସିହା ଫେବୃୟାରୀ ୧ ତାରିଖରେ ଜଣେ ନାବାଳିକା ସଂନ୍ଧ୍ୟାରେ ଅପହରଣ କରି ନେଇ କୁଆଁରିଆ ନିକଟସ୍ଥ ଏକ ଭଙ୍ଗା କ୍ୟାବିନରେ ରଖି ଦୁଷ୍କର୍ମ କରା ଯାଇଥିଲା । ନାବାଳିକାଙ୍କ ପରିବାର ବହୁ ଖୋଜାଖୋଜି ପରେ ଭୋର ସମୟରେ କୁଆଁରିଆର ଏକ ବୁଦାମୂଳରୁ ତାଙ୍କୁ ମୂର୍ମୁଷ ଅବସ୍ଥାରେ ଉଦ୍ଧାର କରିଥିଲେ । ନାବାଳିକାଙ୍କଠାରୁ ସମସ୍ତ ଘଟଣା ଶୁଣିବା ପରେ ଅଭିଯୁକ୍ତ ବିଷ୍ଣୁ ଜାନୀଙ୍କୁ ଏନେଇ ପରିବାର ଲୋକେ ପଚାରିବାରେ ସେ ଅମଙ୍ଗ ହୋଇଥିବା ବେଳେ ପର ମୂହୂର୍ତ୍ତରେ ରାଜି ହୋଇଥିଲେ । ଏହାକୁ ନେଇ ନାବାଳିକାଙ୍କ ବାପା ୨ ତାରିଖରେ ଦଶପଲ୍ଲା ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଷ୍ଣୁଙ୍କୁ ଗିରଫ କରିବା ସହ ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲା । ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ପୋସ୍କୋ ସ୍ୱତନ୍ତ୍ର କୋର୍ଟ ବିଚାରପତି ଉଦୟ ଭାନୁ ଜେନା ଏହି ମାମଲାର ରାୟ ଶୁଣାଇଛନ୍ତି । ଆସାମୀ ବିଷ୍ଣୁ ଜାନୀଙ୍କୁ ଆଜୀବନ କାରାଦଣ୍ଡା ଦେଶ ସହିତ ୧୫ ହଜାର ଟଙ୍କା ଜୋରିମାନା ଆଦେଶ କରାଯାଇଛି । ଏହି ମାମଲାକୁ ସରକାରଙ୍କ ତରଫରୁ ଆଇନଜୀବୀ ବଂଶୀଧର ରାଉତରାୟ ପରିଚାଳନା କରୁଥିଲେ ।





