ନୟାଗଡ଼, (ବାଘୁଆବାର୍ତ୍ତା): ଅଚିହ୍ନ ଅପରିଚିତ ଥିଲେ । ଗାଁକୁ ଆସି ପ୍ରେମ କଲେ । ପ୍ରେମିକା ମନରେ ବିବାହର ବିଶ୍ୱାସ ଜନ୍ମାଇ ନାବାଳିକା ପ୍ରେମିକା ସହିତ ଶାରୀରିକ ସଂପର୍କ ରଖିଲେ । ଏନେଇ ଘଟଣା ଯାଇ ପହଞ୍ଚିଥିଲା ଥାନାରେ । ଥାନାରେ ଏକ ମାମଲା ରୁଜୁ କରାଯାଇ ଉକ୍ତ ଅଭିଯୁକ୍ତକୁ ଗିରଫ୍ କରାଯାଇଥିବା ବେଳେ ସେପଟେ ନାବାଳିକା ପ୍ରେମିକା ଜଣ ହସ୍ପିଟାଲରେ ଏକ ଶିଶୁକୁ ଜନ୍ମ ଦେଇଥିବା ଜଣାପଡିଛି । ତେବେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଦଶପଲ୍ଲା ଥାନା ଅଞ୍ଚଳରେ । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁଶୁବିଡା ଗ୍ରାମର ପ୍ରକାଶ ଯାନୀ(୨୨) ତାଙ୍କ ସଂପର୍କୀୟ ଘର ଦଶପଲ୍ଲା ଥାନା ଅଧିନରେ ଥିବା ବାଲିସାହି ଅଞ୍ଚଳକୁ ଯିବା ଆସିବା କରିଥାଏ । ବାଲିସାହି ଅଞ୍ଚଳକୁ ବାରମ୍ବାର ଯିବା ଆସିବା କରିବା ଫଳରେ ସପର୍କୀୟଙ୍କ ପଡୋଶୀ ଥିବା ଏକ ୧୬ବର୍ଷୀୟା ଯୁବତୀକୁ ପ୍ରେମ କରି ବସିଥିଲେ । ପ୍ରେମ ସଂପର୍କ ଏମିତି ଗଢିଗଲା ଯେ ଆଉ ପଛକୁ ଫେରିବା ସମ୍ଭବ ହୋଇନଥିଲା । ଉକ୍ତ ଯୁବକ ଜଣକ ନାବାଳିକାକୁ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲା । ଯାହାଫଳରେ ନାବାଳିକା ଜଣକ ଗର୍ଭବତୀ ହେବାର କଥା ଜଣାଇବା ପରେ ଯୁବକ ଜଣକ ବିବାହର ଦିନ ଗଡ଼ାଇ ଗଡ଼ାଇ ଚାଲିଥିଲା । ଶେଷରେ ନାବାଳିକାର ପରିବାର ଲୋକ ଝିଅକୁ ଉକ୍ତ ଯୁବକର ଘରେ ନେଇ ଛାଡି ଦେଇଥିଲେ । ହେଲେ ଯୁବକ ଓ ପରିବାର ଲୋକ ନାବାଳିକାକୁ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେଉଥିଲେ । ଅଭିଯୁକ୍ତ ଯୁବକ ଜଣକ ପୁଣି ନାବାଳିକାକୁ ଆଣି ନାବାଳିକାର ଗାଁରେ ଛାଡି ଦେଇଥିଲେ । ନାବାଳିକା ଜଣକ ନ୍ୟାୟ ପାଇବା ଆଶା ନେଇ ଦଶପଲ୍ଲା ଥାନାରେ ଯାଇ ଅଭିଯୋଗ କରିଥିଲା । ଅଭିଯୋଗକୁ ଭିତ୍ତି କରି ଥାନାରେ କେସ୍ ନଂ ୧୦୨/୨୦୨୧ରେ ମାମଲା ରୁଜୁ କରି ବିଳମ୍ବିତ ରାତିରେ ଅଭିଯୁକ୍ତ ଯୁବକକୁ ଗରଫ୍ କରିଛି । ଆଜି କୋର୍ଟ ଚାଲାଣ କରାଯିବ ବୋଲି ଦଶପଲ୍ଲା ଥାନା ଅଧରକାରୀ ଜୟପ୍ରକାଶ ପରୀଡା ସୂଚନା ଦେଇଛନ୍ତି ।





