ବଡ଼ମ୍ବା,(ବାଘୁଆବାର୍ତ୍ତା): ନର ପିସାଚୀ ମାନବ ବର୍ତ୍ତମାନ କାୟା ବିସ୍ତାର କରିବାରେ ଲାଗିଛନ୍ତି । କେତେବେଳେ ଶିଶୁ କନ୍ୟାପ୍ରତି ଦୁଷ୍କର୍ମ ଉଦ୍ୟମ କରୁଛନ୍ତି ତ ଆଉ କେତେବେଳେ ଭିନ୍ନକ୍ଷମ ଯୁବତୀଙ୍କୁ ମଧ୍ୟ ଦୁଷ୍କର୍ମ କରିବାକୁ ପଛଘୁଞ୍ଚା ଦେଇନଥାନ୍ତି ନର ପିସାଚ । ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ, ଯୁବତୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କେସ ରେଜେଷ୍ଟି ହୋଇନଥିବା ଜଣାପଡିଛି । ଯାହାଫଳରେ ଦୁଷ୍କର୍ମକାରୀ ନର ପିସାଚକୁ ଖସାଇବାର ଗଳବାଟ କରାଯାଉଥିବା ମଧ୍ୟ ଜଣାପଡିଛି । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ବଡ଼ମ୍ବା ଥାନା ଅଞ୍ଚଳରେ । ସୂଚନାନୁସାରେ, କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ଗମେଇ ଗ୍ରାମର ଜଣେ ୨୫ବର୍ଷିୟା ଭିନ୍ନକ୍ଷମ ଯୁବତୀ ଘରେ ଥିଲେ । ୨୨ତାରିଖ ମଧ୍ୟାହ୍ଣ ସମୟରେ ଭିନ୍ନକ୍ଷମ ଯୁବତୀଙ୍କ ପରିବାର ଘରେ ନଥିବାର ସୁଯୋଗ ନେଇ ପଡୋଶୀ ଲୋଚନ ବେହେରା(୫୫) ଘରେ ପସି ଭିନ୍ନକ୍ଷମ ଯୁବତୀଙ୍କୁ ଯୋର ଯବରଦସ୍ତି ଦୁଷ୍କର୍ମ କରିଥିଲା । ଘରକୁ ପରିବାର ଲୋକ ଆସିବାରୁ ଭିନ୍ନକ୍ଷମ ଯୁବତୀ ଜଣକ ତାଙ୍କ ସମ୍ମୁଖରେ ଘଟଣା ସଂପର୍କରେ କାନ୍ଦି କାନ୍ଦି କହିଥିଲା । ତେବେ ପରିବାର ଲୋକ ଏନେଇ ଗ୍ରାମ କମିଟିରେ ଜଣାଇବା ସହିତ ୨୩ତାରିଖ ପୂର୍ବାହ୍ନରେ ବଡ଼ମ୍ବା ଥାନାକୁ ଆସି ଅଭିଯୋଗ କରିଥିଲେ । ତେବେ ଅଭିଯୋଗ କରିବାର ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ରିପୋର୍ଟ ଲେଖାହେବା ସୁଦ୍ଧା କେସ୍ ରେଜେଷ୍ଟି ହୋଇନଥିବା ଜଣାପଡିଛି । ଯାହାଫଳରେ ପିଡିତାଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।





