ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ସଦର ଥାନା ଅଂଚଳର ଜଣେ ୧୫ବର୍ଷର ଦଳିତ ନାବାଳିକାକୁ ଟେକିନେଇ ଦୁଷ୍କର୍ମ କରାଯାଇଥିବା ପରି ଲଜ୍ୟାଜନକ ଘଟଣା ଘଟିଛି । ମାତ୍ର ସଦର ପୋଲିସ ଅଭିଯୋଗ ନରଖି ପିଡିତାକୁ ପାଲଟା ଜୁଲମ କରିଥିବାରୁ ଅଭିଯୁକ୍ତ ଫେରାର ହୋଇଯାଇଛି । ଫଳରେ ପିଡିତା ପରିବାର ଜିଲ୍ଲା ଏସପିଙ୍କ ଦ୍ୱାରସ୍ଥ ହେବା ପରେ ଢେଙ୍କାନାଳ ସଦର ଥାନା ପୋଲିସର ଅସଲ ଚେହେରା ପଦାକୁ ଆସିଛି । ତେବେ ଏସ.ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ଥାଉକି, ଜଣେ ୧୫ବର୍ଷର ଦଳିତ ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କାରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଗୁରୁତର ଅବସ୍ଥାରେ ଏକ କାଜୁ ଜଙ୍ଗଲରୁ ପିଡିତା ନାବାଳିକାକୁ ପରିବାର ଲୋକେ ଉଦ୍ଧାର କରିଛନ୍ତି । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଂଚଳର ତାଳବରକୋଟ ଅଂଚଳରେ ଏପରି ଲଜ୍ୟାଜନକ ଘଟଣା ଘଟିଛି । ଗତ କାଲି ଆର୍ଥତ ବୁଧବାର ଅପରାହ୍ନରେ ଏହି ୧୫ବର୍ଷିଆ ପିଡିତା ଘର ପଛ ପଟକୁ ଝାଡା ଯାଇଥିଲେ । ତେବେ ଏକୁଟିଆ ପାଇ ତାଳ ବରକୋଟ ଗ୍ରାମର ଚିକୁ ବେହେରା ନାମକ ଯୁବକ ତାଙ୍କୁ ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗରୁ ଜଣାପଡିଛି । ପରେ ତାଙ୍କୁ କାଜୁ ଜଙ୍ଗଲରେ ପକାଇ ଦେଇ ପିଡିତାର ପରିବାରକୁ ଆସି କାହାକୁ ନକହିବାକୁ ଧମକ ଦେଇଥିବା ଅଭିଯୋଗରୁ ଜଣାପଡିଛି । ଅଭିଯୁକ୍ତ ଠାରୁ ସୂଚନା ପାଇ ପରିବାର ଲୋକେ ଝିଅକୁ ଗୁରୁତର ଅବସ୍ଥାରେ କାଜୁ ଜଙ୍ଗଲରୁ ଉଦ୍ଧାର କରିଥିଲେ । ପରେ ଗତ କାଲି ପିଡିତା ଝିଅକୁ ନେଇ ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡିରେ ଅଭିଯୋଗ କରିଥିଲା ପରିବାର । ମାତ୍ର ପୋଲିସ ଅଭିଯୋଗ ରଖିବା ଦୂରର କଥା ପାଲଟା ପିଡିତା ଓ ତାର ପରିବାରକୁ ଜୁଲମ କରି ଡ଼ରାଇ, ଧମକାଇ ଫେରାଇ ଦେଇଥିବା ଅଭିଯୋଗ କରିଛନ୍ତି ପିଡିତାର ପରିବାର । ପୋଲିସର ଏତାଦୃଶ ବ୍ୟବହାର ପିଡିତା ଓ ତାର ଅସାହାୟ ପରିବାରକୁ ହତାଶ କରୁଥିବାବେଳେ ସଦର ଥାନା ପୋଲିସ ସହ ଅଭିଯୁକ୍ତର ସଲା ସୁତରା ହୋଇଥିବା ସନ୍ଦେହ କରାଯାଇଛି । ଫଳରେ ପୋଲିସର ଏପରି ବ୍ୟବହାରରେ ନିରାଶ ହୋଇ ଏହି ପିଡିତା ଓ ତାର ଭିନ୍ନକ୍ଷମ ମା ଓ ବାପା ଆଜି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଥିବା ଦେଖାଯାଇଛି । ତେବେ ଏସ.ପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ଟିମ ପିଡ଼ିତାଙ୍କୁ ନେଇ ଡାକ୍ତରୀ ମାଇନା କରିବା ସହ ତଦନ୍ତ ଆରମ୍ଭ କରିଥିବା ଏସ.ପିଙ୍କ କାର୍ୟ୍ୟାଳୟ ପକ୍ଷରୁ ଡ଼ିଏସପି ଦେବଦତ୍ତ କର ସୂଚନା ଦେଇଛନ୍ତି । ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଢେଙ୍କାନାଳ ସଦର ଥାନା ପୋଲିସର ଏପରି କାର୍ୟ୍ୟକଳାପ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏପଟେ ଅଭଯୁକ୍ତକୁ ପୋଲିସ ଘଣ୍ଟ ଘୋଡାଇବାର ସୁଯୋଗ ନେଇ ଏବେ ଅଭିଯୁକ୍ତ ଚମ୍ପଟ ମାରିଥିବା ଜଣାପଡିଛି। ତେବେ ପିଡିତା ଜଣେ ନାବାଳିକା ଓ ଦଳିତ ଶ୍ରେଣୀର ହୋଇଥିବା ବେଳେ ଢେଙ୍କାନାଳ ସଦର ପୋଲିସର ଏପରି କାର୍ୟ୍ୟକଳାପ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି ଉଠିଛି ।





