ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାରା ବିଶ୍ୱରେ କରୋନାକୁ ନେଇ ମହାସଙ୍କଟ ଦେଖାଯାଇଥିବା ବେଳେ ଜଣେ କରୋନା ସଂକ୍ରମିତ ମହିଳାଙ୍କୁ ଜଣେ ୱାର୍ଡର ଦୁଷ୍କର୍ମ ଉଦ୍ୟମ କରିବା ସମସ୍ତଙ୍କୁ ଚକିତ କରିଛି । ଦେଶରେ କରୋନାର ସ୍ଥିତି ଖୁବ୍ ଭୟଙ୍କର । ପ୍ରତିଦିନ ମୃତ୍ୟୁ ମାମଲା ବଢୁଛି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏକ ହୋଟେଲକୁ କୋଭିଡ୍ ହସ୍ପିଟାଲରେ ପରିଣିତ କରାଯାଇ ସେଠାରେ ରୋଗୀଙ୍କର ଚିକିତ୍ସା ଚାଲିଛି । ସେହି ହସ୍ପିଟାଲରେ ଦେଖିବାକୁ ମିଳିଛି ଏକ ଲଜ୍ୟାଜନକ ଘଟଣା । ଜଣେ କରୋନା ସଂକ୍ରମିତ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଛି ୱାର୍ଡ ବୟ । ଅଭିଯୁକ୍ତ ୱାର୍ଡ ବୟ ଯେତେବେଳେ କରୋନା ସଂକ୍ରମିତ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା, ସେ ଚିଲେଇବାକୁ ଲାଗିଥିଲେ । ୱାର୍ଡ ବୟ ଜଣକ ନିଜର ଉଦ୍ୟମରେ ସଫଳ ହୋଇପାରିନଥିଲା । କୁହାଯାଉଛି ଯେ, ଅଭିଯୁକ୍ତ ୱାର୍ଡ ବୟ ବିବେକ ଲୋଧି ମହିଳା ଚେକଅପ୍ କରିବା ନାଁରେ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା । କରୋନା ପୀଡିତ ମହିଳାଙ୍କ ସ୍ଥିତି ବିଗିଡିବା ପରେ ଶନିବାର ସକାଳେ ତାଙ୍କୁ ଅକ୍ସିଜେନ୍ ଦିଆଯାଇଥିଲା । ସେହି ଦିନ ରାତି ୧୧ଟା ବେଳେ ୱାର୍ଡ ବୟ ବିବେକ ଲୋଧି ମହିଳାଙ୍କ ରୁମ୍ ଭିତରେ ପହଞ୍ଚି ତାଙ୍କୁ ପଚାରିଥିଲା କିଭଳି ଲାଗୁଛି । ସେତେବେଳେ ମହିଳା ଜଣକ କହିଥିଲେ କିଛି ଭଲ ଲାଗୁନି । ଏହାପରେ ୱାର୍ଡ ବୟ ଜଣକ ତାଙ୍କ ଶରୀରର ସମ୍ବେଦନଶୀଳ ସ୍ଥାନକୁ ଛୁଇଁବା ପରେ ଚାଲିଯାଇଥିଲା । ଏହାର କିଛି ସମୟ ପରେ ରାତି ୧୨ଟା ବେଳେ ଅଭିଯୁକ୍ତ ଜଣକ ମହିଳା ରୋଗୀଙ୍କ ରୁମ୍କୁ ଆସି ଭିତର ପଟୁ କବାଟ ବନ୍ଦ କରିଦେଇଥିଲା । ମହିଳା ଜଣଙ୍କୁ ଅସଦାଚରଣ କରିଥିଲା । ମହିଳା ଜଣ ଜୋରରେ ପାଟି କରିବାରୁ ଅଭିଯୁକ୍ତ ଖସି ପଳାଇଥିଲା । ଏହି ଘଟଣାପରେ ପୋଲିସ ଏବେ ଅଭିଯୁକ୍ତକୁ ଗିରଫ କରିସାରିଛି । ଗ୍ୱାଲିୟରର ଆଡିସନାଲ ଏସପି ହିତିକା ବାସଲ କହିଛନ୍ତି ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।





