ନୟାଗଡ଼, (ବାଘୁଆବାର୍ତ୍ତା) : ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଭୟାବହ ଭାବେ ବଢ଼ି ଚାଲିଛି । ରାଜ୍ୟରେ ନୂଆ ୩୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୧୬୦ ରେ ପଂହଚିଛି । ଏହା ସହିତ ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ମେଲାଇ ଚାଲିଥିବା ବେଳେ କେବଳ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି । ଫଳରେ ଜିଲ୍ଲାରେ ପୂର୍ବରୁ ୧୧୭ ଆକ୍ରାନ୍ତଙ୍କୁ ମିଶାଇ ଏହି ସଂଖ୍ୟା ୧୨୦ରେ ପଂହଚିଛି । ଏହି ୩ ଜଣ କରୋନା ଆକ୍ରାନ୍ତ ରଣପୁର ବ୍ଲକ ସୁର୍କାବାଡ଼ି ପଂଚାୟତର ବୋଲି ଜଣାଯାଇଛି । ସୂଚନାନୁସାରେ, ସୁର୍କାବାଡ଼ିରୁ ଚିହ୍ନଟ ହୋଇଥିବା ୩ ଜଣ ବ୍ୟକ୍ତି କିଛି ଦିନ ତଳେ ସଂଗରୋଧ ମୁକ୍ତ ହେବା ପରେ ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ କୁହାଯାଇଥିଲା । ମାତ୍ର ସେମାନେ ଏହି ନିୟମକୁ ନମାନି ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଗତକାଲି ସେମାନଙ୍କଠାରେ କରୋନା ଚିହ୍ନଟ ହୋଇଛି । ଏହି ତିନିଜଣଙ୍କୁ ଭୂବନେଶ୍ୱର କୋଭିଡ୍ ହସ୍ପିଟାଲକୁ ପଠାଯାଇଥିବା ବେଳେ ସୁର୍କାବାଡ଼ି ସରପଂଚ ମିନତୀ ସାହୁ ପଂଚାୟତର ତିନି ଗ୍ରାମକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସୁର୍କାବାଡ଼ି, ଠଣାପଲ୍ଲୀ ଏବଂ ଠଣାପଲ୍ଲୀ ପାଟଣାକୁ ସରପଂଚ ୨୦ ତାରିଖ ରାତି ୧୨ଟାରୁ ୨୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏନେଇ ସରପଂଚ ଚିଠିମାଧ୍ୟମରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ, ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର, ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ସମେତ ରଣପୁର ତହସିଲଦାର୍, ବିଡିଓ ଓ ଥାନା ଅଧିକାରୀଙ୍କୁ ଅବଗତ କରିଛନ୍ତି । ଏନେଇ ସରପଂଚ ଏହି ଅଂଚଳରେ ଲୋକଙ୍କୁ ସଚେତନ କରିବା ସହ ୪ ଦିନ ଘରେ ରହିବାକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷେ, ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନେକ ଲୋକଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଜଣାଯାଇଛି ।






