କାର, ବନ୍ଧୁକ ଓ ଗୁଳି ଜବତ
ରଣପୁର, (ବାଘୁଆବାର୍ତ୍ତା): ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶରେ ରଣପୁର ପୁଲିସର ତତ୍ପରତା ପ୍ରକାଶ ପାଇଛି । ରଣପୁରରେ ହତ୍ୟା, ଚୋରି, ଡକାୟତ ଘଟଣାଗୁଡିକୁ ଗୁରୁତ୍ୱ ଦିଆଯାଇ ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନିଆ ଯାଉଛି । ଯାହା ଫଳରେ ଖୁବ କମ ଦିନ ଭିତରେ ଘଟଣାଗୁଡିକର ସମାଧାନ ସହିତ ଅପରାଧୀମାନଙ୍କୁ ପୁଲିସ ଗିରଫ କରିବାରେ ସଫଳତା ଲାଭ କରି ପାରୁଛି । ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ ରଣପୁର ପୁଲିସ ସଫଳତା ହାସଲ କରିବାରେ ଲାଗିଛି । ଦୁଇ ଦିନ ତଳେ ଏକ ପ୍ରେସ ମିଟ୍ ମାଧ୍ୟମରେ ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଥିଲା ରଣପୁର ପୁଲିସ । ଆଜି ପୁଣି ଏକ ଡକାୟତତି ଘଟଣାର ପର୍ଦ୍ଦା ଫାଶ କରିବା ସହିତ ଡକାୟମାନଙ୍କୁ ଗିରଫ କରିବାରେ ସଫଳତା ହାସଲ କରିଛି ରଣପୁର ପୁଲିସ । କିଛି ଡକାୟତ କିଛି ଦିନ ହେବ ବିଭିନ୍ନ ପଞ୍ଚାୟତ ଘର, ଲୋକଙ୍କୁ ଘରୁ ବିଭିନ୍ନ ଦାମୀ ଜିନିଷ ଚୋରି କରି ନେଉଥିବାର ଅଭିଯୋଗ ହେଉଥିଲା । ଗତ ୩ ତାରିଖରେ କାଣ୍ଡପଡା ସରପଞ୍ଚ ବିଜୟ କୁମାର ବେହେରା ନିଜ ଘରେ ଖାଇ ସାରି ଶୋଇଥିବା ବେଳେ ରାତି ୧ଟା ବେଳେ କାଣ୍ଡପଡା ଗ୍ରାମର କିଛି ଗ୍ରାମବାସୀ ତାଙ୍କୁ ଫୋନ କରିଥିଲେ । ପଞ୍ଚାୟତ ଅଫିସ ଆଗରେ ଧଳା ରଙ୍ଗର ଙଊ-୦୭-ଜ-୧୦୬୦ ନମ୍ବର ବିଶିଷ୍ଟ ଏକ କାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଘଟଣା ଗ୍ରାମବାସୀମାନେ ସରପଞ୍ଚଙ୍କୁ ଫୋନ ଯୋଗେ ଜଣାଇ ଥିଲେ ।
ଏହା ପରେ ସରପଞ୍ଚ କିଛି ଗ୍ରାମବାସୀଙ୍କ ସହିତ ପଞ୍ଚାୟତ ଅଫିସରେ ପହଂଚି ଥିଲେ । ସରପଞ୍ଚ ପହଂଚିବା ପରେ କାରର ଡ୍ରାଇଭର ଦୌଡ଼ି ପଳାଇବା ପାଇଁ ଚେଷ୍ଟା କରିବା ସମୟରେ କାରଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ଯାଇଥିଲା ଓ ଡ୍ରାଇଭର ମଧ୍ୟ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିଲା । କାର ଭିତରେ ଥିବା ଅନ୍ୟ ଜଣେ ଡକାୟତ ଲୋକଙ୍କୁ ବନ୍ଧୁକ ଦେଖାଇ ସେଠାରୁ ପଳାଇ ଯାଇଥିଲା । ଏହା ପରେ ଗ୍ରାମବାସୀ କାରକୁ ଖୋଲି ଦେଖିଥିଲେ । କାର ଭିତରୁ ଦୁଇଟି ଏଲଇଡ଼ି ଟିଭି, ଗୋଟିଏ ଇନଭର୍ଟର ବ୍ୟାଟେରୀ, ଗୋଟିଏ ଇନଭର୍ଟର ଥିବାର ଦେଖିଥିଲେ । ଏ ନେଇ କାଣ୍ଡପଡା ସରପଞ୍ଚ ଥାନାରେ ଏକ ଅଭିଯୋଗ କରିଥିଲେ । ଏହାପରେ ରଣପୁର ପୁଲିସ କେସ ନମ୍ବର -୨୧୧ ରେ ଏକ ମାମଲା ରୁଜୁ କରି ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଘଟଣା ସ୍ଥଳରୁ କାର ସହ ଚୋରି ସମାଗ୍ରୀ ମଧ୍ୟ ଜବତ କରିଥିଲା ରଣପୁର ପୁଲିସ । ସବ-ଇନ୍ସପେକ୍ଟର ରାଜେଶ କୁମାର ଶ୍ରୀ ଚନ୍ଦନ ଏହି ଘଟଣାର ତଦନ୍ତ କରୁଥିଲେ ।
ପରେ ଏହି ଘଟଣାରେ ବିହାର ରାଜ୍ୟ ବଙ୍କା ଜିଲ୍ଲାର ପଠାନ ଗ୍ରାମର ରତନ କୁମାର (୧୯) , କଟକ ଜିଲ୍ଲା ରାମଚଣ୍ଡୀ ଗ୍ରାମର ଶଙ୍କର ସ୍ୱାଇଁ (୨୪) ଓ ରତଗଡା ଗ୍ରାମର ଅଶୋକ ବାରିକ (୩୪) କୁ ଗିରଫ କରାଯାଇଥିଲା ବେଳେ ମୁଖ୍ୟ ଅଭିଯୁକ୍ତ ବାଙ୍କୀ ଗ୍ରାମର ସୁଶାନ୍ତ ପାତ୍ର ଔରଫ ବଣ୍ଟି ଫେରାର ଥିବା ପୁଲିସ କହିଛି । ମୁଖ୍ୟ ଅଭିଯୁକ୍ତ ବଣ୍ଟିକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସ.ଡି.ପି.ଓ ସୁଧାକର ସାହୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହା ସହ ସେମାନଙ୍କ ନାମରେ ଆଉ କେଉଁ କେଉଁ ଥାନାରେ କେଉଁ ଅଛି କି ନାହିଁ ତାହାର ତଦନ୍ତ ଚାଲିଥିବା କହିଛନ୍ତି । ଏହା ସହ ସେମାନେ ଆଉ କେଉଁ ଜାଗାରେ ଚୋରି ଡକାୟତି କରିଛନ୍ତି, ତାହାର ମଧ୍ୟ ତଦନ୍ତ ଚାଲିଛି ବୋଲି କହିଥିଲେ । ଏହି ପ୍ରେସ ମିଟରେ ରଣପୁର ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି, ଅତିରିକ୍ତ ଥାନା ଅଧିକାରୀ ପଞ୍ଚାନନ ପରିଡା, ସବ-ଇନ୍ସପେକ୍ଟର ରାଜେଶ କୁମାର ଶ୍ରୀ ଚନ୍ଦନ, ବିଶ୍ୱଭୂଷଣ ସିଂ, ଦର୍ପନାରାୟଣପୁର ଫାଣ୍ଡି ଅଧିକାରୀ ଧର୍ମେନ୍ଦ୍ର ଶିଆଳ, ହାବିଲଦାର ପ୍ରଶାନ୍ତ କୁମାର ବରାଡ଼ଙ୍କ ସହିତ ସମସ୍ତ ଥାନା ଅଧିକାରୀ ଉପସ୍ଥିତ ଥିଲେ ।





