ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ରାଜନୈତିକ ଉଷ୍ମତା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିରୋଧୀ ବିଜେପି ଯେଉଁ ନାରା ଦେଇ ଆଗେଇ ଆସୁଛି ସେହି ନାରା ତାଙ୍କରି ଦଳର ନେତା ମାନଙ୍କୁ ଭୋଗିବାକୁ ପଡୁଛି । ଗତ କିଛି ଦିନ ତଳେ କନ୍ଧ ନୟାଗଡ଼ ଗ୍ରାମ ପଞ୍ଚାୟତରେ ଏକ ଉପସ୍ୱାସ୍ଥ୍ୟ କେନ୍ଦ୍ର ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ବିଜେପି ନେତା ଓ କର୍ମୀ ମାନେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କୁ ଗୋବ୍ୟାକ୍ ନାରା ଦେଇ କଳା ପତାକା ପ୍ରଦର୍ଶନ କରିଥିଲେ ।
ଯାହାର ପରିଣାମ ସ୍ୱରୁପ ଦୁଇ ଦିନ ଧରି ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ି ଓ ସମ୍ବିତ ପାତ୍ରଙ୍କୁ ଭୋଗିବାକୁ ପଡୁଛି । ବିଜେଡି କର୍ମୀମାନେ ଗୋବ୍ୟାକ୍ ଗୋବ୍ୟାକ୍ କହି ସେମାନଙ୍କୁ କଳା ପତାକା ପ୍ରଦର୍ଶନ କରୁଛନ୍ତି । ସୁଚନାନୁସାରେ ଭାରତ ବିକାଶ ସଂକଳ୍ପ ଯାତ୍ରାରେ ରଣପୁରର ବିଜେପି ନେତ୍ରୀ ଓ ପୁରୀ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ବିଭିନ୍ନ ପଞ୍ଚାୟତ ଗସ୍ତ କରି ସଭା ସମିତି କରୁଛନ୍ତି । ଗତ କାଲି ରଣପୁର ନିର୍ବାଚନ ମଣ୍ଡଳୀର ଜଙ୍କିଆ ଓ ଚମ୍ପାଗଡ଼ ଠାରେ ଗୋବ୍ୟାକ୍ ଗୋବ୍ୟାକ୍ ନାରା ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା ।
ଆଜି ସେହି ସମାନ ଢଙ୍ଗରେ କନ୍ଧ ନୟାଗଡ଼ ପଞ୍ଚାୟତ ଓ ଚାନ୍ଦପୁର ପଞ୍ଚାୟତରେ ଗୋବ୍ୟାକ୍ ନାରା ଦେବା ସହ କଳାପତାକା ପ୍ରଦର୍ଶନ କରାଯାଇଛି । ଯାହାକୁ ନେଇ ସାଧାରଣରେ ଆଲୋଚନାର ବିଷୟବସ୍ତୁ ପାଲଟିଛି । ଯେସାକୁ ତେସା ନ୍ୟାୟରେ ରଣପୁର ରାଜନିତୀ ସରଗରମ ହେବାରେ ଲାଗିଛି । ଗତ କିଛିଦିନ ତଳେ ରଣପୁର ନିର୍ବାଚନ ମଣ୍ଡଳୀର ତାପସ ମାର୍ଥା ଜିଲ୍ଲା ବିଜେପି ସଭାପତି ଭାବେ ମନୋନୀତ ହୋଇଛନ୍ତି । ତାପସ ଜିଲ୍ଲା ସଭାପତି ହେବା ପରେ ବିଜେପି ମଧ୍ୟରେ ଗୋଷ୍ଠି କନ୍ଦଳ ଅଧୀକ ଦେଖିବାକୁ ମିଳିଛି ।






