ଉତ୍ତରାଖଣ୍ଡ (ବାଘୁଆବାର୍ତ୍ତା): ଏଲୋପାଥି ଚିକିତ୍ସା କୁ ନେଇ ଦେଇଥିବା ବିବାଦୀୟ ବୟାନ ପାଇଁ ବାବା ରାମଦେବଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଆଜି ଆଇଏମଏ ଉତ୍ତରାଖଣ୍ଡ ପକ୍ଷରୁ ରାମଦେବଙ୍କ ନାଁରେ ହଜାରେ କୋଟି ଟଙ୍କାର ମାନହାନୀ ନୋଟିସ ପଠାଯାଇଛି । ରାମଦେବଙ୍କୁ ଆଇଏମଏ ଉତ୍ତରାଖଣ୍ଡ ପଠାଇଥିବା ନୋଟିସ କହିଛନ୍ତି ଯେ, ଯଦି ୧୫ ଦିନ ମଧ୍ୟରେ ଏଲୋପାଥି ଚିକିତ୍ସାକୁ ବିରୋଧ କରି ସେ ଦେଇଥିବା ବୟାନ ବିରୋଧରେ କୌଣସି ଭିଡିଓ ଜାରି ନ କରନ୍ତି କିମ୍ବା ନିଜର ବୟାନ ପାଇଁ କୌଣସି ଲିଖିତ କ୍ଷମା ନ ମାଗନ୍ତି, ତା’ହେଲେ ତାଙ୍କ ବିରୋଧରେ ୧୦୦୦ କୋଟିର ମାନହାନୀ କେସ କରାଯିବ । ଏଥିସହ ଆଇଏମଏ ଉତ୍ତରାଞ୍ଚଳ ଷ୍ଟେଟ ବ୍ରାଞ୍ଚ ମଧ୍ୟ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରୱତଙ୍କୁ ଚିଠି ଲେଖି ରାମଦେବ ଏଲୋପାଥି ବିରୋଧରେ ଦେଇଥିବା ବୟାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଆଇଏମଏ ପକ୍ଷରୁ କୁହାଯାଇଛି ଯେ ରାମଦେବଙ୍କର ନିକଟରେ ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଏଲୋପାଥିକୁ ଷ୍ଟୁପିଡ ସାଇନ୍ସ ବୋଲି କହିଥିଲେ । ଏଥିସହ ସେ ଡିସିଜିଆଇ ଦ୍ୱାରା ଅନୁମୋଦପ୍ରାପ୍ତ ରେମଡେସିଭିର, ଫାବିଫ୍ଲ୍ୟୁ ଓ ଅନ୍ୟାନ୍ୟ ଔଷଧ କରୋନା ଚିକିତ୍ସା କରିବାରେ ବିଫଳ ବୋଲି କହିଥିଲେ । ତେଣୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଏମଏ ଦାବି କରିଥିଲା । ରାମଦେବଙ୍କ ବୟାନକୁ ଆଇଏମଏ, ଏମ୍ସର ରେସିଡେଣ୍ଟ ଡକ୍ଟର ଆସୋସିଏନ୍ସ ଓ ସଫଦରଜଙ୍କ ହସ୍ପିଟାଲ୍ସ ପକ୍ଷରୁ ବିରୋଧ କରାଯାଇଥିଲା । ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି କରିଥିଲେ ।






