ନୟାଗଡ଼, (ବାଘୁଆବାର୍ତ୍ତା) : ରେଳ ଚଳାଚଳ ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ସରକାର ଜମି ଯୋଗାଇ ଦେବା ହେତୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବା କହିଛନ୍ତି । ମହିପୁର ଅଂଚଳକୁ ରେଳ ଚଳାଚଳ ପରେ ଏହି ଅଂଚଳର ରୋଜଗାର ବଢ଼ିବା ସହ ଅଂଚଳବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି କହିଥିଲେ । ଖୋର୍ଦ୍ଧା ବଲାଙ୍ଗିରୀ ରେଳପଥର ଏକ ତୃତୀୟାଂଶ କାମ ଶେଷ ହୋଇଥିବା ନେଇ ଶ୍ରୀଯୁକ୍ତ ପ୍ରଧାନ ସୂଚନା ଦେବା ସହ ବଲାଙ୍ଗିରୀ ପଟୁ ସୋନପୁର ଯାଏଁ ଏବଂ ନୟାଗଡ଼ର ଦଶପଲ୍ଲା ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ଶେଷ ହୋଇଛି । କନ୍ଧମାଳ ଜିଲ୍ଲାର ଘାଟି ଅଂଚଳ ସମେତ ଅନେକ ଜମିର ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗରୁ ଅନୁମତି ମିଳିବାକୁ ବାକିଥିବା କହିଥିଲେ । ଏହାକୁ ରାଜ୍ୟ ସରକାର ଯେତେ ଶୀଘ୍ର ପ୍ରଦାନ କରିବେ ସେତେ ଶୀଘ୍ର ରେଳପଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି କହିଥିଲେ । ଏଥିପାଇଁ ୪ ଶହ କୋଟି ଟଙ୍କାର ଅନୁଦାନ ପୂର୍ବତଟ ରେଳପଥ ବିଭାଗରେ ପଡ଼ି ରହିଥିବା ସୂଚନା ଦେଇଥିଲେ ।





