ଲୋକପ୍ରିୟତାର ଅନ୍ୟତମ ଉଦାହରଣ ପ୍ରଦୀପ ସାମଲ
ନୟାଗଡ଼, (ବାଘୁଆବାର୍ତ୍ତା) : ରାଜସୁନାଖଳା ଫାଣ୍ଡି ଅଧିକାରୀଙ୍କ ବଦଳି ପ୍ରତିବାଦରେ ଫାଣ୍ଡି ସାମନାରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି । ଯାହାକୁ ନେଇ ଫାଣ୍ଡି ଅଧିକାରୀଙ୍କ ଲୋକପ୍ରିୟତା କେତେ ତାହା ପ୍ରମାଣିତ ହୋଇଛି । ସୂଚନାନୁସାରେ, ୨୦୧୮ ମସିହା ଶେଷରୁ ଏସ୍ଆଇ ପ୍ରଦୀପ ସାମଲଙ୍କର ନୟାଗଡ଼ ଜିଲ୍ଲାରୁ ଭୂବନେଶ୍ୱର ବଦଳି ହୋଇଛି । ସେହି ସମୟରେ ସେ ନୟାଗଡ଼ ଟାଉନଥାନାରେ କାର୍ଯ୍ୟରତ ଥିଲେ । ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ଜିଲ୍ଲା ପୁଲିସରୁ ତାଙ୍କୁ ଛଡ଼ା ଯାଇନଥିଲା । ପରେ ରାଜସୁନାଖଳା ଫାଣ୍ଡି ଅଧିନରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବା ଲକ୍ଷ୍ୟ କରି ତତ୍କାଳୀନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶଶୀଭୂଷଣ ଶତପଥୀ ତାଙ୍କୁ ରାଜସୁନାଖଳା ଫାଣ୍ଡି ଅଧିକାରୀ ଭାବେ ଦାୟିତ୍ୱ ଦେଇଥିଲେ । ଏଇ କିଛି ମାସ ମଧ୍ୟରେ ଶ୍ରୀଯୁକ୍ତ ସାମଲ ରାଜସୁନାଖଳା ଅଂଚଳର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ସୁଧାରିବାରେ ସଫଳ ହୋଇଥିବା ବେଳେ ଏହି ଅଂଚଳ ଲୋକଙ୍କ ନିକଟତ୍ତର ହୋଇପାରିଛନ୍ତି । ମାତ୍ର ୨୦୧୮ ମସିହାର ବଦଳି ଆଦେଶକୁ କାର୍ଯ୍ୟକାରୀ କରିବାକୁ ପୁଲିସ ବିଭାଗରୁ ପୁଣି ଚିଠି ଆସିବା ପରେ ଏବେ ତାଙ୍କୁ ରିଲିଜ କରାଯିବା ନେଇ ଜିଲ୍ଲା ପୁଲିସ ବ୍ୟବସ୍ଥା ଗ୍ରହଣ କରୁଛି । ଏହି ଖବର ରାଜସୁନାଖଳାବାସୀଙ୍କ ନିକଟରେ ପହଂଚିବା ପରେ କିଛିବ୍ୟକ୍ତି ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଥିଲେ । ଆଜି ତାଙ୍କ ବଦଳି ପ୍ରତିବାଦରେ ଫାଣ୍ଡି ଆଗାରେ ଅନେକ ଲୋକ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଛନ୍ତି । ଏହି ଆନ୍ଦୋଳନରେ ରାଜସୁନାଖଳା ପଂଚାୟତ ଲୋକଙ୍କ ସହ ଆଖପାଖ ଅଂଚଳ ଲୋକ ମଧ୍ୟ ସାମିଲ ହୋଇଛନ୍ତି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜସୁନାଖଳା ବାସୀଙ୍କ ଦାବିକୁ ଯାଥାର୍ଥ ଭାବି ଏସ୍ଆଇଙ୍କ ବଦଳି ପ୍ରତ୍ୟାହୃତ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।






