ଓଡ଼ଗାଁ, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ରବିଗାଡ଼ିଆ ପଂଚାୟତ ଜାମୁପାଟଣା ଗ୍ରାମର ରାଜନ ନାୟକ କୀଡନ୍ ଆକ୍ରାନ୍ତ ହୋଇ ଦୀର୍ଘ ୫ ବର୍ଷ ହେବ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି । ୫ ପ୍ରାଣୀ କୁଟୁମ୍ବ ପେଟଳୁ ମୁଠାଏ ଦାନା ଯୋଗାଡ଼ କରିବାର ଦାୟିତ୍ୱ ୨୦ ବର୍ଷିୟ ସାନ ଭାଇ ଉପରେ ରହିଛି । ସାନଭାଇ ଯାହା ରୋଜଗାର କରୁଛନ୍ତି, ସେଥିରେ ପରିବାର ଚଳୁଥିବା ବେଳେ ରାଜନଙ୍କ ଔଷଧ ଖର୍ଚ୍ଚ କରିବାକୁ ଟଙ୍କାଟିଏ ନାହିଁ । ଏଭଳି ଦୟନୀୟ ଏବଂ ଅସହାୟ ରାଜନଙ୍କ ସଂମ୍ପର୍କରେ ଗତ ୨୨ ତାରିଖରେ ଖବରପ୍ରକାଶ ପାଇଥିଲେ ମଧ୍ୟ ପ୍ରଶାସନ ଜାଣି ଅଜଣା ଅଭିନୟ କରୁଥିବା ଅଭିଯୋଗ ହେଉଛି । ରାଜନଙ୍କୁ ସହାୟତା ନିମନ୍ତେ ବିଭିନ୍ନ ମହଲରୁ ଦାବି ଉଠୁଥିଲେ ମଧ୍ୟ ବ୍ଲକ କିମ୍ବା ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ସରକାରଙ୍କ ବିଭିନ୍ନ ଯୋଜନାରେ ଅସହାୟଙ୍କୁ ଚିକିତ୍ସା ଯୋଗାଇ ଦେବାର ବ୍ୟବସ୍ଥା ରହିଥିବା ବେଳେ କାହିଁକି ପ୍ରଶାସନ ନୀରବତା ଅବଲମ୍ବନ କରୁଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅସହାୟ ରାଜନ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିବାକୁ ଜିଲ୍ଲା ପ୍ରଶାସନ ଅପେକ୍ଷା କରିଛି କି ବୋଲି ଓଡ଼ଗାଁ ଅଂଚଳରେ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି ।






