ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ରେଳ ଷ୍ଟେସନରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଏବଂ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ପୂର୍ବତଟ ରେଳପଥ ଜେନେରାଲ ମ୍ୟାନେଜରଙ୍କ ଚିଠି ଲେଖିଛନ୍ତି । ନୟାଗଡ଼ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରମୂଖ ଷ୍ଟେସନ ହୋଇଥିବା ବେଳେ ଏଠାରୁ ସମସ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସହ ଆସବାବପତ୍ର ନେଇଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ୨ଜଣ ସୁରକ୍ଷା କର୍ମୀ ରେଳ ଷ୍ଟେସନକୁ ଜଗିବା ଦାୟିତ୍ୱରେ ରହିଛନ୍ତି । ନୟାଗଡ଼ ଷ୍ଟେସନରୁ ସମସ୍ତ କର୍ମଚାରୀଙ୍କୁ ପ୍ରତ୍ୟାହାର କରି ନିଆଯିବା ସହିତ ଏଠାରେ ପୂର୍ବରୁ ସଂଯୋଗ କରାଇଥିବା ଲାଇଟ ଗୁଡ଼ିକ କାଢ଼ି ନିଆଯାଇଥିବାରୁ ଷ୍ଟେସନରେ ଅନ୍ଧାର ରାଜତ୍ୱ କରୁଛି । ଲଗାଯାଇଥିବା ୧୦୦ଫୁଟ ଉଚ୍ଚର ଉଚ୍ଚତା ବିଶିଷ୍ଟ ଖୁଣ୍ଟରୁ ଜାତୀୟ ପତାକା ଏବଂ ଲାଇଟ ମଧ୍ୟ କାଢ଼ି ନିଆଯାଇଛି । ରେଳ ବିଭାଗର ଏଭଳି କାର୍ଯ୍ୟକୁ ନେଇ ସମଗ୍ର ନୟାଗଡ଼ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଆଜି ମନ୍ତ୍ରୀ ଜେନେରାଲ ମ୍ୟାନେଜରଙ୍କୁ ଚିଠି ଲେଖିବା ସହ ଆନ୍ଦୋଳନାତ୍ମକ ପରିସ୍ଥିତିକୁ ଏଡ଼ାଇବା ପାଇଁ ଅନୁରୋଧ କରିଛନ୍ତି । ନୟାଗଡ଼ ବାସୀଙ୍କ ଭାବାବେଗ ସହ ରେଳ ବିଭାଗ କୁଠାରଘାତ କରିଥିବା ଆଲୋଚନା ହେଉଛି ।





