ବ୍ରହ୍ମପୁର, (ବାଘୁଆବାର୍ତ୍ତା): ନକଲି ଘିଅ ଫ୍ୟାକ୍ଟ୍ରି ଉପରେ ଚଢ଼ଉ। ବିପୁଳ ପରିମାଣର ନକଲି ଘିଅ ଜବତ। ଗୁରୁବାର ବ୍ରହ୍ମପୁର ବଡ଼ ବଜାର ଅଞ୍ଚଳରେ ଥିବା ଏକ ନକଲି ଘିଅ ଫ୍ୟାକ୍ଟ୍ରି ଉପରେ ଚଢ଼ଉ କରି ନକଲି ଘିଅ ଜବତ କରିବା ସହ ଜଣକୁ ଗିରଫ କରିଛି ବ୍ରହ୍ମପୁର ପୋଲିସ୍। ଏହି ୟୁନିଟ୍ରେ ମା’ ଦୁର୍ଗା ନାମରେ ନକଲି ଘିଅ ପ୍ରସ୍ତୁତି କରାଯାଉଥିଲା। ପୋଡ଼ା ତେଲ, ନିମ୍ନ ମାନର ପାମ୍ ତେଲ ସହ ବିପଦଜନକ କେମିକାଲ ମିଶ୍ରଣ କରି ନକଲି ଘିଅ ପ୍ରସ୍ତୁତ କରି ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ନକଲି ଘିଅ ଚାଲାଣ ହେଉଥିଲା। ଏହି ଘିଅ ପ୍ୟାକେଟରେ ଟ୍ରେଡ ଲାଇସେନ୍ସ ନଂ, ପ୍ରସ୍ତୁତି ତାରିଖ କିମ୍ବା ଏକ୍ସପାୟରୀ ତାରିଖ ମଧ୍ୟ ଉଲ୍ଲେଖ ନାହିଁ । ତେବେ ଏହି ୟୁନିଟ୍ରେ ଚଢ଼ଉ କରିବା ସହ ମାଲିକ ଇପାରୀ ରାଜେଶ୍ୱରୀ ପାତ୍ରଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍। ପ୍ରାୟ ଦୁଇ ବର୍ଷ ହେଲା ଏଭଳି ବ୍ୟବସାୟ କରୁଥିଲେ ସେ । ପୂର୍ବରୁ ମଧ୍ୟ ବେଆଇନ ଗୁଟଖା ବ୍ୟବସାୟ ମାମଲାରେ ସମ୍ପୃକ୍ତ ମଲିକ ଗିରଫ ହୋଇଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି. ।





