ଓଡଗାଁ,(ବାଘୁଆବାର୍ତ୍ତା): ଓଡଗାଁ ସ୍ୱର୍ଣ୍ଣ ତୁଳସୀ କ୍ଷେତ୍ର ଭାବେ ପ୍ରସିଦ୍ଧ ଲାଭ କରିଥିବା ଶ୍ରୀ ରଘୁନାଥ ମନ୍ଦିରର ସିଂହଦ୍ଵାରକୁ ଲାଗି ରହିଛି ଏକ ବିଦ୍ୟୁତ ଖୁଣ୍ଟ। ଯେଉଁ ବିଦ୍ୟୁତଖୁଣ୍ଟ କି ସେହି ସାହିରେ ବାସ କରୁଥିବା ଜନସାଧାରଣ, ବାହାରୁ ଆସୁଥିବା ପର୍ଯ୍ୟଟକ ଓ ରଘୁନାଥ ମନ୍ଦିର ଉପରେ ବସୁଥିବା ବିଭିନ୍ନ ପକ୍ଷୀମାନଙ୍କ ପାଇଁ ଏବେ ବିପଦ ର ଗନ୍ତାଘର ପାଲଟି ଯାଇଛି । ଏହି ବିଦ୍ୟୁତ ଖୁଣ୍ଟ ମନ୍ଦିରର ସୌନ୍ଦର୍ଯ୍ୟକୁ ବି ନଷ୍ଟ କରୁଅଛି ।ରଘୁନାଥ ମନ୍ଦିରର ସିଂହଦ୍ଵାରକୁ ଲାଗିରହିଥିବା ଏହି ବିଦ୍ୟୁତ ଖୁଣ୍ଟରୁ ସେଠାରେ ବାସକରୁଥିବା ଅନେକ ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ଫଳରେ ସେହି ଖୁଣ୍ଟର ତାର ସବୁ ରଘୁନାଥ ମନ୍ଦିର ଆଗରେ ଏବଂ ରଘୁନାଥ ମନ୍ଦିର ଉପରେ ମାଳମାଳ ହୋଇ ଓହଳି ରହିଛି। ଫଳରେ ଏହି ତାର ସବୁ ମନ୍ଦିରର ସୌନ୍ଦର୍ୟ୍ଯ ନଷ୍ଟ କରିବା ସହ ସର୍ଟସର୍କିଟ ହେଉଛି ।ଏମିତିକି ଅନେକ ସମୟରେ ସେଠାରେ ବାସକରୁଥିବା ବିଭିନ୍ନ ପକ୍ଷୀ ସବୁ ବିଦ୍ୟୁତ ଆଘାତପ୍ରାପ୍ତ ହୋଇ ଟଳିପଡିବା ସହ ରଘୁନାଥ ମନ୍ଦିରକୁ ଦର୍ଶନ ପାଇଁ ବାହାରୁ ଆସୁଥିବା ଅନେକ ପର୍ଯ୍ୟଟକ ବିଦ୍ୟୁତ ଆଘାତପ୍ରାପ୍ତ ହୋଇ ଅଳ୍ପକେ ବଞ୍ଚି ଯାଉଥିବା ମନ୍ଦିରର ଜଣେ ପୂଜକ ନାରାୟଣ ମହାପାତ୍ର ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ ସ୍ଥାନୀୟ ବିଧାୟକଙ୍କ ଗସ୍ତ ବେଳେ ସେ ଏହି ବିଦ୍ୟୁତ ଖୁଣ୍ଟ ଅନ୍ୟତ୍ର ସ୍ଥାନାନ୍ତର ବିଷୟରେ ତାଙ୍କ ନଜରକୁ ଆଣିଥିଲେ ମଧ୍ଯ ବର୍ତ୍ତମାନ ସୁଧା କୌଣସି ସୁଫଳ ମିଳିନାହିଁ। ତେଣୁ ଏହି ବିଦ୍ୟୁତ ଖୁଣ୍ଟ ଅନ୍ୟତ୍ର ସ୍ଥାନାନ୍ତର ସହ ଏହାର କିଛି ପ୍ରତିକାର ପାଇଁ ବର୍ତ୍ତମାନ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।






