ଭୁବନେଶ୍ୱର,(ବାଘୁଆବାର୍ତ୍ତା): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ବିଜୁ ଆଦର୍ଶ ଭୂମିପୁତ୍ର ସଂଗଠନ ତରଫରୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଆଚାର୍ଯ୍ୟ ବିହାରସ୍ଥିତ ରାଧାରାଣୀ ମହିଳା ସଂଘକୁ ‘ପ୍ରବାଦପୁରୁଷ ସମ୍ମାନ-୨୦୨୧’ରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରକାଶ ଥାଉ କି, ଏହି ଅନୁଷ୍ଠାନ ତରଫରୁ ବିଭିନ୍ନ ସମୟରେ ବୃକ୍ଷରୋପଣ, ରକ୍ତଦାନ ଶିବିର, ଅଭାବୀ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବିତରଣ ଆଦି ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ବରପୁତ୍ରମାନଙ୍କ ଜୟନ୍ତୀ ସଭା ଆୟୋଜନ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରାଯାଉଛି । ସଂଘର ସଭାପତି, ସଂପାଦକ ଏବଂ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ ।






