ପୁରୀ, (ବାଘୁଆବାର୍ତ୍ତା): ଶ୍ରୀମନ୍ଦିରରେ ସପ୍ତାହାନ୍ତ ଦର୍ଶନ ବନ୍ଦ ଆଦେଶ ଆଧାରରେ ଶନିବାର, ରବିବାର ଦୁଇ ଦିନ ଧରି ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ରାଜ୍ୟରେ ସେପ୍ଟେମ୍ବର ମାସରେ ଜାରି କୋଭିଡ୍ ଏସଓପି ମାର୍ଗଦର୍ଶିକାରେ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ ସମସ୍ତ ପୂଜାପୀଠର ଦର୍ଶନ ସ୍ୱାଭାବିକ କରିବାକୁ ପରାମର୍ଶ ଦିଆଯାଇଛି। ଶ୍ରୀମନ୍ଦିରରେ ସପ୍ତାହାନ୍ତ ଦର୍ଶନ କଟକଣା ଉପରେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବାକୁ ୮ ତାରିଖରେ ପରିଚାଳନା କମିଟି ବୈଠକ ଡାକିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ବୈଠକରେ ସପ୍ତାହାନ୍ତ ଦର୍ଶନ ବନ୍ଦ କଟକଣା ହଟିବ କି ନାହିଁ, କୋଭିଡ୍ ସ୍ଥିତି ବ୍ୟତୀତ ଦର୍ଶନ ନିର୍ଘଣ୍ଟ, ପ୍ରବେଶ ପାଇଁ ପ୍ରମାଣପତ୍ର ଜରୁରି ଆଦି ପ୍ରସଙ୍ଗରେ ଆଲୋଚନା ହେବାର ଆଭାସ ମିଳିଛି । ଉଲ୍ଲେଖଯୋଗ୍ୟ ବର୍ତ୍ତମନା ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏ ଶ୍ରୀମନ୍ଦିର ଦର୍ଶନ ଭକ୍ତଙ୍କ ପାଇଁ ଉନ୍ମୁକ୍ତ ରହୁଛି । ଚଳିତ ମାସର କୋଭିଡ୍ ମାର୍ଗଦର୍ଶିକା ମୁତାବକ ରାତି ଦଶରୁ ସକାଳ ୫ଟା ଯାଏ ପୁରୀ ସହରରେ କର୍ଫ୍ୟୁ କଟକଣା ରହିବ । ତଦନୁସାରେ ଶ୍ରୀମନ୍ଦିର ଦର୍ଶନ ରାତି ନଅଟା ପର୍ୟ୍ୟନ୍ତ ଖୋଲା ରହିବା ଆଶା କରାଯାଉଛି । ଇତିମଧ୍ୟରେ ଦର୍ଶନାର୍ଥୀଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଶୁକ୍ରବାର ଦିନ ୧୬ ହଜାର ୫୦୦ ଦର୍ଶନାର୍ଥୀ ଶ୍ରୀମନ୍ଦିର ଆସିଥିଲେ । ମଙ୍ଗଳବାର ଠାରୁ ଶୁକ୍ରବାର ପର୍ୟ୍ୟନ୍ତ ଚାର ଦିନରେ ୫୫ ହଜାର ଭକ୍ତ ଶ୍ରୀମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିରରେ ଦର୍ଶନ ନିମନ୍ତେ କାହିଁକି କୋଭିଡ୍ ନେଗେଟିଭ୍ କିମ୍ବା ଦୁଇ ଡୋଜ ଟିକା ପ୍ରମାଣପତ୍ର ବାଧ୍ୟତା ମୂଳକ କରାଯାଇଛି ବୋଲି ଦୂରାନ୍ତରୁ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ପ୍ରଶ୍ନ କରିଛନ୍ତି । ଏହି ନିୟମ ବଦଳାଯିବାକୁ ଦାବି ହୋଇଛି । ପ୍ରବେଶ ନିମନ୍ତେ ପ୍ରମାଣପତ୍ର ବାଧ୍ୟତାମୂଳକ କାରଣରୁ ଆଜି ବି ଶହ ଶହ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି । ଦର୍ଶନରୁ ବଞ୍ଚିତ ହୋଇଥିବା ଜିଲ୍ଲା ବାହାର ଦର୍ଶନାର୍ଥୀ ସଂଯୁକ୍ତ ପୃଷ୍ଟି, ରାଜଶ୍ରୀ ରଣା ଓ ଆଶୁତୋଷ ମହାପାତ୍ର କହିଛନ୍ତି ଆମେ ତିନି ଶହ କିମି ଦୂରରୁ ଆସିଥିଲୁ । ଆମ ପାଖର ପ୍ରମାଣପତ୍ର ନଥିଲା । ତେଣୁ ଆମକୁ ଦର୍ଶନ ପ୍ରବେଶ ଅନୁମତି ମିଳି ନଥିଲା । ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ, ପୂଜାପୀଠରେ ପ୍ରମାଣପତ୍ର ଆବଶ୍ୟକ ପଡୁ ନଥିବା ବେଳେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଲାଗୁ ହୋଇଥିବା ଏହି କଟକଣାକୁ ହଟାଇଦେବାକୁ ପ୍ରଶାସନ ନିକଟରେ ଦାଦି କରିଛନ୍ତି । ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପ୍ରତି ଅବିଚାର ଓ ପକ୍ଷପାତ ବୋଲି ଏହି ଭକ୍ତମାନେ ଅଭିମାନରେ କହିଛନ୍ତି ।






