ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାର ନୂତନ ପଦକ୍ଷେପ ନେଇଛନ୍ତି । ଏସବୁ ମଧ୍ୟରେ ଶ୍ରୀମନ୍ଦିର ପ୍ରବେଶ ପାଇଁ ଆଜିଠାରୁ ଲାଗୁ ହୋଇଛି ନୂଆ କଟକଣା । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ୍ । ନୂଆ କଟକଣା ଅନୁଯାୟୀ, ବାହାର ରାଜ୍ୟରୁ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ନେଗେଟିଭ୍ କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଯଦି ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ନେଗେଟିଭ ରିପୋର୍ଟ କିମ୍ବା ଟିକା ନେଇଥିବାର ସାର୍ଟିଫିକେଟ୍ ଦେଖାଇବେ ନାହିଁ ତେବେ ସେମାନଙ୍କୁ ଶ୍ରୀ ମନ୍ଦିର ପ୍ରବେଶ ମନା । ଏଥିସହିତ ନେଗେଟିଭ୍ ରିପୋର୍ଟ କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ବାହାରେ ସ୍ୱତନ୍ତ୍ର କିଓସ୍କ ବ୍ୟବସ୍ଥା କରାଯାଇଛି । ଭକ୍ତମାନେ ପ୍ରଥମେ ଏହି କିଓସ୍କରେ ପରିଚୟ ପତ୍ର ଓ ଆବଶ୍ୟକ କାଗଜ ପତ୍ର ଦେଖାଇବେ । ନଚେତ୍ ସେମାନଙ୍କୁ ଦର୍ଶନ ଅନୁମତି ମିଳିବନି ବୋଲି ସୂଚନା ରହିଛି ।





