ପୁରୀ, (ବାଘୁଆବାର୍ତ୍ତା): ରଥଯାତ୍ରା ତୁଳନାରେ କଟକଣା ଆହୁରି ବଢ଼ିବ । ବଡ଼ଦାଣ୍ଡକୁ ସମ୍ପୂର୍ଣ୍ଣ ଅନୁଧ୍ୟାନ କରାଯିବ । ଆଜିଠୁ ପୁରୀ ପୌରସଂସ୍ଥା ବଡ଼ଦାଣ୍ଡର ଆବାସିକ ଘର, ଲଜ୍, ହୋଟେଲ, ଧର୍ମଶାଳା ଆଦିର ସର୍ଭେ କରିବ । ଏନେଇ ଜିଲ୍ଲା ପ୍ରଶାସନ ଆଦେଶ ଜାରି କରିଛି । ସୁରକ୍ଷା ବ୍ୟବସ୍ଥାର ରୂପରେଖକୁ ପରିବର୍ତ୍ତନ କରାଯିବ । ଯଦ୍ଦ୍ୱାରା କଟକଣା ଉଲ୍ଲଂଘନକୁ ନିରାକରଣ କରାଯିବ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ସୁରକ୍ଷା ପ୍ରସ୍ତୁତି, କୋଭିଡ୍ କଟକଣା ମାର୍ଗଦର୍ଶିକା ଆହୁରି କଡ଼ାକଡ଼ି କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଥିବାର ଖବର ମିଳିଛି । ରଥଯାତ୍ରା ତୁଳନାରେ ବାହୁଡ଼ା ଯାତ୍ରା କଟକଣା ଆହୁରି ବଢ଼ିବ ବୋଲି ଜଣେ ପଦସ୍ଥ ଅଧିକାରୀ କହିଛନ୍ତି । ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ପୁରୀ ପୌରାଞ୍ଚଳ ପରିସୀମାରେ ଆସନ୍ତା ୧୯ ତାରିଖ ରାତିରୁ ବାହୁଡ଼ା ଯାତ୍ରା ପର୍ୟ୍ୟନ୍ତ କର୍ଫ୍ୟୁ ଲାଗୁ ହେବ । ସିଆର୍ପିସି ୧୪୪ ଧାରାରେ କଟକଣା ଲାଗୁ ହେବ । ବଡ଼ଦାଣ୍ଡରେ ଲୋକ ସମାଗମ ନିୟନ୍ତ୍ରଣକୁ ଜିରୋ ଟଲେରେନ୍ସ ତାଲିକାରେ ରଖାଯିବ । ବଡ଼ଦାଣ୍ଡ ଉଭୟ ପାଶ୍ୱର୍ରେ ରହିଥିବା କୋଠା, ବାସଭବନର ଛାତ ତଥା ବାଲକୋନିରେ ରଥଯାତ୍ରା ଦିନ ରଥାରୂଢ଼ ଶ୍ରୀବିଗ୍ରହଙ୍କ ଦର୍ଶନ ଲୋକମାନେ କରିପାରିବେ ନାହିଁ । କର୍ଫ୍ୟୁ କଟକଣାରେ ରହିଥିବା ବଡ଼ଦାଣ୍ଡର କୋଠାଗୁଡିକରେ ପୁଲିସ ମୁତୟନ କରିବା ନେଇ ବିଚାର ବିମର୍ଶ ଚାଲିଛି । ତା ବ୍ୟତୀତ ସରକାରୀ ଜରୁରି ସେବାରେ ନିୟୋଜିତ ଯାନବାହନ ବ୍ୟତିତ ଅନ୍ୟ ଯାନବାହନକୁ ବଡ଼ଦାଣ୍ଡକୁ ପ୍ରବେଶ କରିବେ ନାହିଁ । ବଡ଼ଦାଣ୍ଡରେ ଥିବା ସମସ୍ତ ଲଜ୍, ହୋଟେଲ, ଧର୍ମଶାଳା, ଗେଷ୍ଟହାଉସରେ ବାହୁଡ଼ା ଯାତ୍ରା ଦିନକ ପୂର୍ବରୁ ଚେକ୍ ଇନ୍ ବାତିଲ କରିବାକୁ ଆଦେଶ ଜାରି ହେବ । ସମସ୍ତ ହୋଟେଲ, ଲଜ, ଧର୍ମଶାଳାରୁ ଲୋକ ଖାଲି କରିବାକୁ ପ୍ରଶାସନ ଚେକ୍ କରିବ । ବଡ଼ଦାଣ୍ଡସ୍ଥିତ ଜରୁରି ସେବାର ସରକାରୀ ଅଫିସ ବ୍ୟତିତ ଅନ୍ୟ ସମସ୍ତ ବ୍ୟାଙ୍କ, ଔଷଧ ଦୋକାନ, ଖୁଚୁରା ତେଜରାତି ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ବନ୍ଦ ରହିବ । ଜିଲ୍ଲାର ଆଠଟି ପ୍ରବେଶ ପଥକୁ ସମ୍ପୂର୍ଣ୍ଣ ସିଲ କରି ଦିଆଯିବ । ଏହି ସବୁ ପଏଣ୍ଟରେ ଚବିଶ ଘଣ୍ଟିଆ ପୁଲିସ ପ୍ରହରା ଲାଗିବ ।





