ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଗୁରୁବାର ଆରମ୍ଭ ହେବ ଧର୍ମମାସ କାର୍ତ୍ତିକ । ହେଲେ ପୂର୍ବ ବର୍ଷ ଭଳି ଏଥର ବି କରୋନା ଦାଉ ସାଧିଛି । ହବିଷ୍ୟାଳିମାନେ ବ୍ରତ ପାଳିବାକୁ ଏକାଠି ହୋଇପାରିବେନି । ସେଥିପାଇଁ ପୁରୁଣା ଭୁବନେଶ୍ୱରରେ ଥିବା ଧର୍ମଶାଳାଗୁଡ଼ିକ ଖାଁ ଖାଁ ଲାଗୁଛି । କରୋନା ମହାମାରୀ ଗତବର୍ଷ ରାଜଧାନୀର ଥିବା ଧର୍ମଶାଳାରେ ତାଲା ଝୁଲାଇଥିଲା । ଏଥର ବି ସମାନ ଅବସ୍ଥା । ମନ୍ଦିରରେ ହବିଷ୍ୟାଳି ବ୍ରତକୁ ବିଏମ୍ସି ପକ୍ଷରୁ ମନା କରାଯାଇଛି । ତେଣୁ ସବୁବର୍ଷ ପୁରୁଣା ଭୁବନେଶ୍ୱରକୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ହବିଷ୍ୟାଳିମାନେ ଏଥର ଆସିବେ ନାହିଁ । ସକାଳୁ ବିନ୍ଦୁସାଗର କୂଳରେ ଗାଧୋଇବାଠୁ ନେଇ ଧର୍ମଶାଳାରେ ବୃନ୍ଦାବତୀ ପୂଜା, ବିଷ୍ଣୁ ପୂଜା, ପୁରାଣ ପଢ଼ା ଆଦି ଆଉ ଶୁଭିବନି । ପୁରୁଣା ଭୁବନେଶ୍ୱରରେ ଥିବା ଦୁଦ୍ବାଲା ଧର୍ମଶାଳାର ବିଶ୍ୱନାଥ ବଟୁ କହିଛନ୍ତି, ଗତବର୍ଷ ମାର୍ଚ୍ଚରୁ ଧର୍ମଶାଳା ବନ୍ଦ ହୋଇଯାଇଥିଲା । କରୋନା ମହାମାରୀ ପାଇଁ ହବିଷ୍ୟାଳି ଆସିନଥିଲେ । ଡିସେମ୍ବର ଆଉ ଜାନୁଆରୀ ଦୁଇ ମାସ ଧର୍ମଶାଳା ଖୋଲିଲା । ଅଳ୍ପ କିଛି ଲୋକ ଆସି ରହିଥିଲେ । ଭାବିଥିଲୁ ଏବର୍ଷ ସବୁ ଠିକ୍ ହୋଇଯିବ । କିନ୍ତୁ ଏପ୍ରିଲ୍ରୁ ପୁଣି ଲକ୍ଡାଉନ୍ ଯୋଗୁଁ ତାଲା ପଡ଼ିଗଲା । ସେବେଠୁ ତ କେହି ଆଉ ଆସିନାହାନ୍ତି । କରୋନା ପାଇଁ ଏବର୍ଷ ବି ହବିଷ୍ୟାଳି ଆସିବେନି । ସେମାନଙ୍କ ହସଖୁସିର ଆସର ଦେଖିବାକୁ ମିଳିବନି । ନା ଭଗବାନଙ୍କ ନାମ ସଂକୀର୍ତ୍ତନ ହେବ ନା ଭଜନକୀର୍ତ୍ତନ ଚାଲିବ । ଧର୍ମଶାଳାରେ ପୂରା ନୀରବତା ଛାଇଯିବ ।






