ସଂମ୍ପତ୍ତି ହେଲା କାଳ !
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ସାକେରୀ ପଂଚାୟତ ଗର୍ଜାନି ଗ୍ରାମରେ ଆଜି ସଂମ୍ପତ୍ତି ପାଇଁ ବାପାର ବେକ କାଟି ଦେଇଛି ପୁଅ । ସୂଚନାନୁସାରେ, ଏହି ଗ୍ରାମର ଉଦୟନାଥ ପଟ୍ଟନାୟକ ଦୁଇ ପୁଅଙ୍କ ମଧ୍ୟରେ ସଂମ୍ପତ୍ତି ସବୁ ବାଣ୍ଟି ଦେଇଥିବା ବେଳେ ନିଜ ପାଇଁ ଏକ ଜମି ରଖିଥିଲେ । ଏହି ଜମି ପାଇବା ପାଇଁ ସାନପୁଅ ପ୍ରତାପ ପଟ୍ଟନାୟକ ଦୀର୍ଘଦିନ ହେବ ବାପାଙ୍କ ସହ ଗଣ୍ଡଗୋଳ କରିଆସୁଥିଲେ । ଏନେଇ ଓଡ଼ଗାଁ ଥାନାରେ ମଧ୍ୟ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ଭଦ୍ରଲୋକଙ୍କ ଦ୍ୱାରା ଏହାର ସମାଧାନ କରାଯାଇଥିବା କହିଛନ୍ତି ଉଦୟନାଥଙ୍କ ବଡ଼ ବୋହୂ । ଆଜି ଉଦୟନାଥ ନିଜ ଘରପାଖ ଦୋକାନରେ ବସିଥିବା ବେଳେ ସାନପୁଅ ପ୍ରତାପ ଆସି ପ୍ରଥମେ ବଚସା କରିବା ସହ ସେହି ଜମି ତାଙ୍କୁ ଦେବା ପାଇଁ ଜିଦ୍ ଧରିଥିଲେ । ମାତ୍ର ଉଦୟନାଥ ମୁଁ ମଲାପରେ ଜମି ନେବୁ କହିବାରୁ ପ୍ରତାପ ଉତକ୍ଷିପ୍ତ ହୋଇ ଏକ ପଥରରେ ତାଙ୍କୁ ଛେଚି ଦେବା ସହ ସାଙ୍ଗରେ ଆଣିଥିବା ଭୁଜାଲିରେ ବେକ କାଟି ଦେଇଥିଲେ । ଏହି ସମୟରେ ପ୍ରତାପଙ୍କୁ ଛଡ଼େଇବାକୁ ଚେଷ୍ଟା କଲା ବେଳେ ଉଦୟନାଥଙ୍କ ବଡ଼ବୋହୂ ଏବଂ ଅନ୍ୟ ଜଣେ ପଡ଼ୋଶୀ ଆହାତ ହୋଇଥିବା ଜଣାପଡ଼ିଛି । ବଡ଼ବୋହୂଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ପଡ଼ୋଶୀଙ୍କ ହାତରେ ଛୁରୀ ବାଜିଥିବା ଜଣାପଡ଼ିଛି । ଉଦୟନାଥଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବା ବେଳେ ତାଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଭୂବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଖବର ଲେଖାହେବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।






