ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ରିୟଙ୍କା ଗୋସ୍ୱାମୀ ଶନିବାର ରାଜ୍ୟଗୋଷ୍ଠୀ କ୍ରୀଡାର ୧୦,୦୦୦ ମିଟର ରେସ୍ ୱାକ୍ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି । ସେ ରେସ ୱାକରେ ପଦକ ଜିତିବାରେ ପ୍ରଥମ ଭାରତୀୟ ମହିଳା ହୋଇ ଇତିହାସ ରଚିଛନ୍ତି । ଗୋସ୍ୱାମୀ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସମୟ ୪୩:୩୮.୮୩ ସେକେଣ୍ଡ ସହ ଅଷ୍ଟ୍ରେଲିଆର ଖେଳାଳି ଜେମିମା ମୋଣ୍ଟାଗଙ୍କ ୪୨:୩୪.୩୦ ପରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । କେନିଆର ଏମିଲି ବାମୁସ୍ୟି ନଗୀ କାଂସ୍ୟ ପଦକ ଜିତିଛନ୍ତି। ଅନ୍ୟଜଣେ ଭାରତୀୟ ଭାବନା ଜାଟ ୪୭:୧୪.୧୩ ସେକେଣ୍ଡର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସମୟ ସହ ଅଷ୍ଟମ ତଥା ଅନ୍ତିମ ସ୍ଥାନରେ ରହିଛନ୍ତି । ହରମିନ୍ଦର ସିଂ ଦିଲ୍ଲୀରେ ୨୦୧୦ରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ୨୦ କିଲୋମିଟର ରେସ ୱାକରେ କାଂସ୍ୟ ପଦକ ଜିତିବାରେ ପ୍ରଥମ ଭାରତୀୟ ହୋଇଥିଲା। ମ୍ୟାଚ ଆରମ୍ଭ ହେବା ସହ ପ୍ରିୟଙ୍କା ଟ୍ରାକରେ ଆଗରେ ରହିଥିଲେ ଏବଂ ୪୦୦୦ ମିଟର ପରେ ସେ ପ୍ରଥମ ସ୍ଥାନରେ ଥିଲେ । ତେବେ ଏହାର କିଛି ସମୟ ପରେ ସେ ପଛେଇ ଯାଇଥିଲେ । ପ୍ରତିଯୋଗିତାରେ କେବଳ ଦୁଇ କିଲୋମିଟର ଥିବା ବେଳେ ପ୍ରିୟଙ୍କା ଚମତ୍କାର ପ୍ରଦର୍ଶନ କରି ଦ୍ୱିତୀୟ ସ୍ଥାନରେ ପହଞ୍ଚି ରୌପ୍ୟ ପଦକ ଜିତିଛନ୍ତି।






