ନୟାଗଡ଼,(ବାଘୁଆବାର୍ତ୍ତା): କୃଷି ଓଡ଼ିଶାର ଆଜି ଉଦ୍ୟାପନୀ ଉତ୍ସବ । ଏହି ଉଦ୍ୟାପନୀ ଉତ୍ସବରେ ଯୋଗଦାନ କରିବେ ରାଜ୍ୟର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ବିଗତ ୫ଦିନ ଧରି ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ମହାକୁମ୍ଭ କୃଷି ଓଡ଼ିଶା ରାଜ୍ୟର ଅଗଣିତ କୃଷକ ଭାଇ ଭଉଣୀ ମାନଙ୍କ ପାଇଁ ଏକ ମୁକ୍ତ ଶିକ୍ଷାର ସୁଯୋଗ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ କୃଷି ଓଡ଼ିଶା ଗତ ୧୫ ତାରିଖରେ ଉଦଘାଟିତ ହୋଇଥିଲା । ଓଡ଼ିଶାର କୃଷି ଓ କୃଷକଙ୍କ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସ୍ୱପ୍ନ ଓ ପରିକଳ୍ପନା ତଥା ବାସ୍ତବବାଦୀ ଚିନ୍ତାଧାରା ଓ ଦିଗଦର୍ଶନ ଆମ ରାଜ୍ୟର କୃଷିକୁ ଏକ ଉନ୍ନତ ସୋପାନରେ ପହଞ୍ଚାଇ ପାରିଛି ବୋଲି ଆଜି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ଶସକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ବକ୍ତବ୍ୟ ରଖିଛନ୍ତି । କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଆମ ରାଜ୍ୟ ଅନେକ ଆଗେଇଛି କିନ୍ତୁ ଆମକୁ ଆହୁରି ଅନେକ ବାଟ ଯିବାକୁ ପଡ଼ିବ । କୃଷି ଓଡ଼ିଶା ଏ କ୍ଷେତ୍ରରେ କୃଷି ପ୍ରଗତିର ଏକ ପ୍ରତିଫଳନ ହୋଇପାରିଛି । ରାଜ୍ୟର ଚାଷୀ ଭାଇମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସମନ୍ୱିତ ଚାଷ ଏକ ମାତ୍ର ବିକଳ୍ପ ଭାବେ ଦେଖାଯାଇଛି । କୃଷି ଓଡ଼ିଶାର କାର୍ଯ୍ୟକ୍ରମରେ ‘ସମନ୍ୱିତ ଚାଷ : ଚାଷୀଙ୍କ ବିକାଶ’ ମୁଖ୍ୟ ଫୋକସ୍ କରାଯାଇଛି ।ରାଜ୍ୟରେ ଛତୁ ଚାଷର ବହୁଳ ପ୍ରସାର ଓ ଜାତୀୟ ସ୍ତରରେ ମୋଟ ଛତୁ ଉତ୍ପାଦନରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଛତୁକୁ କୃଷି ଓଡ଼ିଶା ୨୦୨୧ରେ ମାସ୍କଟ ଭାବେ ଗ୍ରହଣ କରାଯାଇଛି । ରାଜ୍ୟସ୍ତରୀୟ ମହାକୁମ୍ଭ ସହିତ ଜିଲ୍ଲାସ୍ତରୀୟ ମହୋତ୍ସବ ଏକ ସମୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବକୁ ସିଧା ପ୍ରସାରଣ ଦ୍ୱାରା ଜିଲ୍ଲାସ୍ତରୀୟ କୃଷକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏହାଦ୍ୱାରା ଓଡ଼ିଶାର କୋଣ ଅନୁକୋଣରେ ଥିବା ଚାଷୀଭାଇମାନେ ଚାଷ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଓ ମଣ୍ଡପରେ ଥିବା ପ୍ରଦର୍ଶିତ ଦ୍ରବ୍ୟ ଦେଖିବାର ସୁଯୋଗ ପାଇଛନ୍ତି । ଏହି ମହୋତ୍ସବରେ ୧୬୭ଗୋଟି ମଣ୍ଡପରେ କୃଷି କ୍ଷେତ୍ରର ଅତ୍ୟାଧୁନିକ ଜ୍ଞାନକୌଶଳର ସଫଳ ପ୍ରଦର୍ଶନୀ କରାଯାଇଛି । କୃଷି ଯାନ୍ତ୍ରିକୀକରଣରେ ନୂତନ ଯନ୍ତ୍ରପାତି କୃଷି ପ୍ରକ୍ରିୟାକରଣ ଶିଳ୍ପର ଉନ୍ନତ ଯନ୍ତ୍ରପାତି, ଅମଳ ପରବର୍ତ୍ତୀ ଯତ୍ନ ପାଇଁ ବ୍ୟବହୃତ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ । ମିଲେଟ ମିଶନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦନକାରୀ ଗୋଷ୍ଠୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଓ ମୂଲ୍ୟଯୁକ୍ତ ଖାଦ୍ୟ ପ୍ରଦର୍ଶିତ ହୋଇଛି । ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ବିଭିନ୍ନ କୃଷି ସାମଗ୍ରୀର ମୂଲ୍ୟଯୁକ୍ତ ଦ୍ରବ୍ୟ, ଉନ୍ନତ ବିହନ କିସମ, କୀଟନାଶକ, ଜୈବସାରର ମଣ୍ଡପ ଆୟୋଜନ କରାଯାଇଛି । ବିଭିନ୍ନ ସରକାରୀ ଓ ଘରୋଇ କୃଷି ଅନୁଷ୍ଠାନର ଅଂଶଗ୍ରହଣ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଦ୍ୱାରା ଉନ୍ନତ ମାନର ଗାଈ, କୁକୁଡ଼ା, ମେଣ୍ଢା, ଛେଳି, ବତକ ପାଳନ ଓ ଗୋଖାଦ୍ୟ ଚାଷର ଜୀବନ୍ତ ପ୍ରଦର୍ଶନ କରାଯାଇଛି । ସେହିପରି ମତ୍ସ୍ୟ ବିଭାଗ ଦ୍ୱାରା ମାଛଚାଷର ବିଭିନ୍ନ ଉନ୍ନତ ପଦ୍ଧତି ବାୟୋଫ୍ଲକ୍ ମାଧ୍ୟମରେ ଚାଷ ଓ ଉନ୍ନତମାନର ମାଛ ଖାଦ୍ୟ ସମ୍ବଳିତ ମଣ୍ଡପ ପ୍ରଦର୍ଶିତ ହୋଇଛି । ଉଦ୍ୟାନକୃଷି ଓ ମୃର୍ତ୍ତିକା ସଂରକ୍ଷଣ ବିଭାଗର ମଣ୍ଡପ ମଧ୍ୟ ଖୁବ୍ ଆକର୍ଷଣୀୟ ଓ ଶିକ୍ଷଣୀୟ ହୋଇଛି । ଏହା ବ୍ୟତୀତ ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ଓ ୧୦ଗୋଟି ଜିଲ୍ଲାର କୃଷି ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା) ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତି । ଚାରିଦିନ ମଧ୍ୟରେ ୧୧ଗୋଟି ବିଷୟଭିତ୍ତିକ ପାଠଶାଳାରେ କୃଷକ, କୃଷି ଉଦ୍ୟୋଗୀ ଗବେଷକ, ବୈଜ୍ଞାନିକଙ୍କ ମଧ୍ୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩ ହଜାରରୁ ଉଦ୍ଧ୍ୱର୍ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦେଇ ବିଭିନ୍ନ ମୌଳିକ ସୁବିଧା, ସୁଚିନ୍ତିତ ଯୋଜନା ଓ ସେମାନଙ୍କର ନିଜସ୍ୱ ଅଭିଜ୍ଞତା ପରିପ୍ରକାଶ କରିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ଓ ବିଭିନ୍ନ ଭାଗୀଦାର ଯଥା କୃଷି ଉଦ୍ୟୋଗୀ, କୃଷି ବ୍ୟବସାୟୀ ଓ ସରକାରଙ୍କ ମଧ୍ୟରେ କୃଷି ବ୍ୟବସାୟର ବିକାଶ ସମ୍ବନ୍ଧରେ ସଫଳ ଆଲୋଚନା କରାଯାଇଥିଲା । କୃଷି ଓ ଆନୁଷଙ୍ଗିକ କୃଷି କ୍ଷେତ୍ରରେ ଉତ୍କର୍ଷ ଦେଖାଇଥିବା ୧୨୦ଜଣ ଅଗ୍ରଣୀ ଚାଷୀ, ୩୦ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ, ୩୦ ଗୋଟି ଜଳବିଭାଜିକା ମିଶନ ଗୋଷ୍ଠୀ ଓ କୃଷି କ୍ଷେତ୍ରରେ କାର୍ଯ୍ୟରତ ଥିବା ବିଭିନ୍ନ ବିଭାଗର ଦକ୍ଷ କର୍ମଚାରୀ ଓ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ମଧ୍ୟରେ କ୍ଷୁଦ୍ର ଶସ୍ୟ (ମିଲେଟ)ର ପ୍ରକ୍ରିୟାକରଣ ଓ ମୂଲ୍ୟଯୁକ୍ତ କରିବା ଉଦ୍ଦେଶ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏହା ବ୍ୟତୀତ କୃଷି ଓଡ଼ିଶା ସ୍ୱରଣିକା, ଓସୋପକାର ମୁଖପତ୍ର ପ୍ରମାଣିକା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକା, ବିଶେଷଜ୍ଞଙ୍କ କମିଟିର ଅନୁମୋଦନ ପୁସ୍ତିକା, ବଳରାମ ଯୋଜନାରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ପୁସ୍ତିକା ଏବଂ ସମସ୍ତ ପାଠଶାଳାର ଚାଷୀମାନଙ୍କୁ ୧୦ଟି ବିଷୟରେ ସୂଚନା ପୁସ୍ତିକା ବଣ୍ଟନ କରାଯାଇଥିଲା । ଏହାର ପ୍ରଭାବ ସୁଦୂର ପ୍ରସାରୀ ଲକ୍ଷ ଲକ୍ଷ ଜନସାଧାରଣ ଯୁବଗୋଷ୍ଠୀ, ପ୍ରବାସୀ ଓଡ଼ିଆ ଓ କୃଷି ଉଦ୍ୟୋଗୀଙ୍କ ମନରେ ଏକ ନୂତନ ଆଶା ଓ ସମ୍ଭାବନା ଦେଇଛି କୃଷି ଓଡ଼ିଶା । କରୋନା ମହାମାରୀର ଏହି ସଙ୍କଟମୟ ପରିସ୍ଥିତିରେ କୃଷି ଓଡ଼ିଶା ପାଳନ ଏକ ଆହ୍ୱାନ ଥିଲା । ସମସ୍ତ କଟକଣା ଓ କୋଭିଡ୍ ମାର୍ଗଦର୍ଶିକାକୁ ଅନୁପାଳନ କରି କୃଷି ଓଡ଼ିଶା ମହାକୁମ୍ଭ ଆୟୋଜିତ ହୋଇଛି ଓ ଅନେକ କିଛି ସଫଳତା ଲାଭ କରାଯାଇଛି । ଯେଉଁ ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ କୃଷି ଓଡ଼ିଶା ପାଳନ କରାଯାଇଥିଲା ତାହା ଓଡ଼ିଶାର ଅଗଣିତ ଚାଷୀଭାଇମାନଙ୍କ ପାଖରେ ପହଞ୍ôଚ କୃଷି ଓ ବୈଷୟିକ ଶିକ୍ଷା ଲାଭର ସୁଯୋଗ ଦେଇଛି ବୋଲି ମନ୍ତ୍ରୀ ଡ଼ ସାହୁ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।






