ଭୁବନେଶ୍ଵର, (ବାଘୁଆବାର୍ତ୍ତା): କମିସନରେଟ ପୋଲିସ ପକ୍ଷରୁ ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା। ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ଦିଗରେ ଏହି ଯୋଜନା କାମ କରିବ। ‘ପ୍ରାରମ୍ଭ’ ଯୋଜନାରେ କମିସନରେଟ୍ ପୋଲିସ ୨୫୪୫୪୪୫ ହେଲ୍ପଲାଇନ୍ ନମ୍ଵର ଜାରି କରିଛି। ଅଭିଯୋଗ କରିବା ପାଇଁ ପୀଡିତା ଏହି ନମ୍ବରରେ ଯୋଗାଯୋଗ କରିପାରିବେ। କେବଳ ଭୁବନେଶ୍ଵର ପାଇଁ ଏହି ନମ୍ବରଟି ଉପଲବ୍ଧ ହେବ। କମିସନରେଟ ପୋଲିସର ସୂଚନା ଅନୁଯାୟୀ, ପ୍ରତିବର୍ଷ ଭୁବନେଶ୍ୱରରେ ୩ ଶହରୁ ୩୫୦ ଅପହରଣ ମାମଲା ରୁଜୁ ହେଉଛି। ଗତ ୬ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ସେଲ୍ ଦ୍ୱାରା ଟ୍ଵିନ୍ ସିଟିରୁ ୨୪୧ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ସେହିପରି ୨୯୫ଟି ଅପହରଣ ଅଭିଯୋଗର ତଦନ୍ତ ଶେଷ ହୋଇଛି। ଅଧିକାଂଶ ଘଟଣାରେ ଦେଖିବାକୁ ମିଳୁଛି ଯେ, ବିବାହ ପ୍ରଲୋଭନ ଦେଖାଇ ନାବାଳିକାମାନଙ୍କୁ ଅପହରଣ କରାଯାଉଛି। ଯାହାକି ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ତେଣୁ ସ୍କୁଲ, କଲେଜମାନଙ୍କରେ କର୍ମଶାଳା କରାଯିବ। ସୋସିଆଲ ମିଡ଼ିଆ ମାଧ୍ୟମରେ ପୋଲିସ ପିଲାମାନଙ୍କୁ ସଚେତନ କରିବ।






