ମାଲକାନଗିରି/ମାଥିଲି, (ବାଘୁଆବାର୍ତ୍ତା): ଓଡ଼ିଶା ବିଧାନସଭାର ପୂର୍ବତନ ଉପ ବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ ଶେଷ ହୋଇଛି । ଗତ ବୁଧବାର ଦିନ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ବର ଏମସ୍ରେ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କର ମୃତ୍ୟୁ ହୋଇଥିଲା । ଭୁବନେଶ୍ୱରରେ ଶ୍ରଦ୍ଧାଞ୍ଜଳୀ ଦେବାପରେ ତାଙ୍କ ପାର୍ଥିବ ଶରୀରକୁ ନିଜ ଗାଁ ପାଙ୍ଗାମ କୁ ଅଣାଯାଇଥିଲା । ପାଙ୍ଗାମ ଠାରେ ଥିବା ଶ୍ରୀ ଦୋରା ଙ୍କ ବାସଭବନ ଠାରେ ଜିଲ୍ଲାର ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସ୍ବର୍ଗତ ଦୋରା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳ ରୁ ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ଦୁଇଥର ଉପବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ । ସ୍ବର୍ଗତ ଦୋରା ଙ୍କ ବିୟୋଗରେ ମାଥିଲି ବ୍ଳକ ର ବିଭିନ୍ନ ଅଂଚଳରେ ଦୋକାନବଜାର ବନ୍ଦ କରାଯାଇଥିଲା ।।ପାଙ୍ଗାମ ସ୍ଥିତ ବାସଗୃହ ଏକ ପ୍ରକାର ଲୋକାରଣ୍ୟ ହୋଇପଡିଥିଲା । ଏକ ଶୋଭାଯାତ୍ରାରେ ତାଙ୍କ ମୃତ ଦେହ କୁ ପାଙ୍ଗାମ ଶ୍ମଶାନ କୁ ନିଆଯାଇଥିଲା। ପ୍ରଶାସନ ତରଫରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ନବରଙ୍ଗପୁର ସାଂସଦ ରମେଶ ମାଝୀ , ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ,ବିଧାୟକ ଆଦିତ୍ୟ ମାଢୀ , ଜିଲାପାଳ ବିଶାଳ ସିଂ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଜିଲ୍ଲା ତଥା ଜିଲ୍ଲା ବାହାରୁ ବିଭିନ୍ନ ଦଳୀୟ ନେତା, କର୍ମୀ , ସମାଜସେବୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଦୋରା ଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ । କରୋନା ରେ ଶ୍ରୀ ଦୋରା ଙ୍କ ମୃତ୍ୟୁ ହୋଇଥିବାରୁ ପିପିଇ କିଟ ପିନ୍ଧି ସରକାରୀ ନିୟମ ଅନୁଯାୟୀ ଶେଷକୃତ୍ୟ ସଂମ୍ପନ୍ନ କରାଯାଇଥିଲା ।






