ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାରେ ପୋଷ୍ଟାଲ ଡିଭିଜନ ଖୋଲିବା ନେଇ ଦୀର୍ଘ ଦିନ ହେବ ଦାବି ହୋଇ ଆସୁଥିଲା । ପୁରୀ ଡିଭିଜନରୁ ଅଲଗା ହୋଇ ସ୍ୱତନ୍ତ୍ର ଭାବେ ନୟାଗଡ଼ରେ ପୋଷ୍ଟାଲ ଡିଭିଜନ କାର୍ଯ୍ୟକାରୀ ହେବା ପାଇଁ ଜିଲ୍ଲାବାସୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଗଣଦାବି ଏବଂ କ୍ରିୟାନୁଷ୍ଠାନ କମିଟିର ଧାରାବାହିକ ଉଦ୍ୟମ ସଫଳ ହେବାକୁ ଯାଉଛି । ଏଥିପାଇଁ ସରକାରଙ୍କର ଅନୂକୂଳ ମନୋଭାବ ଏବଂ ଡିଭିଜନ ଖୋଲିବା ପାଇଁ ନିଷ୍ପତ୍ତି ନୟାଗଡ଼ ବାସୀଙ୍କ ନୈତିକ ବିଜୟ ଘଟାଇଛି ବୋଲି ଆଜି କମିଟି ପକ୍ଷରୁ କରାଯାଇଥିବା ସ୍ଥାପନ ପ୍ରସ୍ତୁତି ବୈଠକରେ ମତପ୍ରକାଶ ପାଇଛି । ରୋଟାରୀ ଭବନ ନୟାଗଡ଼ଠାରେ ଅନୁଷ୍ଠିତ ଏହି ବୈଠକରେ ଅଧ୍ୟକ୍ଷତା କରି ଆବାହକ ପ୍ରମୋଦ ପଟ୍ଟନାୟକ କିଭଳି ଭାବେ ଏହି କାର୍ଯ୍ୟକ୍ରମରେ ଦଳମତ ନିର୍ବଶେଷରେ ଜିଲ୍ଲାର ସଂପୃକ୍ତ ସମସ୍ତ ବିଧାୟକ, ସାଂସଦ, ବିଭାଗୀୟ ମନ୍ତ୍ରୀ ଏବଂ ବିଭାଗୀୟ ପଦାଧିକାରୀ ସହାୟତାର ହାତ ବଢ଼ାଇଥିବାରୁ ଏହା ସମ୍ଭବ ପର ହୋଇପାରିଲା ବୋଲି ମତବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ୟକ୍ତ କାର୍ଯ୍ୟକାରୀ କମିଟି ସଦସ୍ୟମାନେ ବିଭାଗୀୟ ପଦାଧିକାରୀଙ୍କୁ ଭେଟି କାମକୁ ଆଗକୁ ନେବାକୁ ସ୍ଥିର ହୋଇଥିଲା । ଅନ୍ୟତମ ଉଦ୍ୟକ୍ତା ରଣଜିତ୍ ଦାଶ, ବିଶ୍ୱନାଥ ମହାପାତ୍ର, ସନ୍ତୋଷ କୁମାର ପ୍ରଧାନ, ନିର୍ମଳ ଶୂରଦେଓ, କୃପାସିନ୍ଧୁ ପଣ୍ଡା, ଗୋକୁଳ ଷଡ଼ଙ୍ଗୀ, ଶ୍ରୀକାନ୍ତ ପଟ୍ଟନାୟକ ପ୍ରମୂଖ ଆଲୋଚନାରେ ଭାଗ ନେଇଥିଲେ ।






