ଭୁବନେଶ୍ୱର (ବାଘୁଆବାର୍ତ୍ତା): ବିବାହିତ ପୁଲିସ ଏଏସ୍ଆଇଙ୍କ ପ୍ରେମ ଜାଲରେ ଫସିବା ଜଣେ ନର୍ସଙ୍କୁ ମହଙ୍ଗା ପଡିଛି । ତାଙ୍କୁ ପତ୍ନୀ ଭାବେ ଗ୍ରହଣ ନ କରାନଯିବା ଓ ଏନେଇ ପଦସ୍ଥ ଅଧିକାରୀ ମହଲରେ ମଧ୍ୟ ଅଭିଯୋଗ କରିବା ପରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାନଯିବାରୁ ଶେଷରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି । ଝାରସୁଗୁଡା ଜିଲ୍ଲା ସଦର ଡାକ୍ତରଖାନାରେ କାର୍ଯ୍ୟରତ ଏହି ନର୍ସ ଜଣକ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ବୋଲି ଜଣାପଡିଛି । ଝାରସୁଗୁଡା ବେହେରାମାଲ ଠାରେ ସେ ରହୁଥିବା ଭଡା ଘରେ ଆତ୍ମହତ୍ୟା କରିବା ପରେ ପରଦିନ ବନ୍ଦ କୋଠରୀରୁ ତାଙ୍କ ଶବ ପୁଲିସ ଉଦ୍ଧାର କରିଛି । ଏନେଇ ପୂର୍ବରୁ ସମ୍ପୃକ୍ତ ନର୍ସଙ୍କ ଅଭିଯୋଗ କ୍ରମେ ବନହରପାଲି ଥାନାରେ କାର୍ଯ୍ୟରତ ଟ୍ରେନି ଏଏସଆଇ ଯୁଗଳ ସେଠ ଏବଂ ପରିବାର ଲୋକଙ୍କ ବିରୋଧରେ ବନହରପାଲି ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଶବ ଉଦ୍ଧାର ପରେ ଝାରସୁଗୁଡା ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି । ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ବିକାଶ ଚନ୍ଦ୍ର ଦାଶ କହିଛନ୍ତି । ବନହରପାଲି ଥାନାରେ ହୋଇଥିବା ମାମଲା ତଥା ନର୍ସଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସହ ଏଏସଆଇ ଯୁଗଳ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିଥିଲେ । ଅଭିଯୁକ୍ତ ଏଏସଆଇ ବିବାହିତ । ନର୍ସ ତାଙ୍କୁ ସାକ୍ଷାତ କରିବାକୁ ତାଙ୍କ ଘରକୁ ଯାଇଥିବା ସମୟରେ ତାଙ୍କୁ ଏକ କୋଠରୀରେ ଭର୍ତ୍ତି କରି ପରିବାର ଲୋକେ ନିର୍ଯ୍ୟାତନା ଦେଇଥିଲେ । ତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିବାକୁ ବି ଅଭିଯୁକ୍ତ ଏଏସଆଇ ମନା କରିଥିଲେ । ଯାହାକୁ ନେଇ ସେ ବନହରପାଲି ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ହେଲେ ତାଙ୍କୁ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଏତଲାରେ ଉଲ୍ଲେଖ କରିଥିଲେ । କିଛି ଔଷଧ ମଧ୍ୟ ସେ ସେବନ କରିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କୁ ଝାରସୁଗୁଡାର ଏକ ଘରୋଇ ନର୍ସିଂହୋମରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ସୁସ୍ଥ ହୋଇ ସେ ଝାରସୁଗୁଡା ଭଡା ଘରେ ରହିଥିଲେ । ହେଲେ ଶନିବାର ତାଙ୍କ ମୃତଦେହ ପୁଲିସ ଘର ଭିତରୁ ଉଦ୍ଧାର କରିଛି । ସେ ଆତ୍ମହତ୍ୟା କରିବା ପୂର୍ବରୁ ଝାରସୁଗୁଡା ଏସପି ଏବଂ ବନହରପାଲି ଥାନା ଅଧିକାରୀଙ୍କୁ ସାକ୍ଷାତ କରି ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଏବଂ ପ୍ରେମ ପ୍ରତାରଣା ସମ୍ପର୍କରେ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ । ପୁଲିସ ପକ୍ଷରୁ କୌଣସି ଠୋସ ପଦକ୍ଷେପ ନିଆ ନ ଯିବା ପରେ ହତୋତ୍ସାହିତ ହୋଇ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଘଟଣାଟି ସମଗ୍ର ଜିଳ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ମୃତାଙ୍କ ପ୍ରକୃତ ଘର ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଅଞ୍ଚଳରେ ରହିଛି । ପୁଲିସ ନ୍ୟାୟ ପ୍ରଦାନ ଦିଗରେ ପଦକ୍ଷେପ ନନେଇ ସମ୍ପୃକ୍ତ ଏଏସଆଇଙ୍କୁ ସହାନୁଭୂତି ଦେଖାଇବା କାରଣରୁ ସେ ଆତ୍ମହତ୍ୟା କଲେ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।






