
ଘଣ୍ଟାଏ ଟ୍ରାଫିକ ଜାମ
ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଆଜି କାର ମାଲିକଙ୍କ ପରିବାର ଏବଂ ଡ୍ରାଇଭର ମଧ୍ୟରେ ଗଣ୍ଡଗୋଳ ପାଇଁ ଘଣ୍ଟାଏ ଟ୍ରାଫିକ ଜାମ ହୋଇଛି । ଏଥିରେ ପୁଲିସ ଗଣ୍ଡଗୋଳ କାରୀ ଯୁବକଙ୍କୁ ଆଣି ଗାଡ଼ିରେ ବସାଇଥିବା ବେଳେ ଯୁବକ ଜଣଙ୍କ ପୁଲିସକୁ ଚକମା ଦେଇ ଗାଡ଼ିରୁ ଚମ୍ପଟ ମାରିଛି । ଛତିଶଗଡ଼ର କୈାଣସି ଏକ ସ୍ଥାନରୁ ଗୋଟିଏ ପରିବାର ପୁରୀରୁ ଜଗନ୍ନାଥ ଦର୍ଶନ କରି ନୟାଗଡ଼ ଦେଇ ଛତିଶଗଡ଼ ଫେରୁଥିବା ବେଳେ ଡ୍ରାଇଭର ବାଟରେ ପ୍ରଚୁର ମଦ୍ୟପାନ କରିଥିଲେ । ଯାହାକୁ ନେଇ ମାଲିକଙ୍କ ପରିବାର ସହ ଯୁକ୍ତିତର୍କ ପରେ ମାଲିକଙ୍କ ପୁଅ ଡ୍ରାଇଭରଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଏହି କାରଣରୁ ଡ୍ରାଇଭର ନୟାଗଡ଼ ରାଜୀବ ମାର୍କେଟ ସାମନାରେ ଗାଡ଼ି ଅଟଳାଇ ଦେଇ ସାମନା ପଟୁ ଆସୁଥିବା ପୁଲିସ ଗାଡ଼ିକୁ ସାହାର୍ଯ୍ୟ ମାଗିଥିଲେ । ଫଳରେ ପୁଲିସ ମାଲିକଙ୍କ ପୁଅକୁ ଆଣି ଗାଡ଼ିରେ ବସାଇଥିଲେ । ମାତ୍ର ଯୁବକ ଜଣଙ୍କ ଗାଡ଼ି ଡୋର ଖୋଲି ଚମ୍ପଟ ମାରିଥିଲେ । ଯାହାକୁ ନେଇ ପୁଲିସର ପାରିବା ପଣିଆ ଦେଖିବାକୁ ଶତାଧିକ ଲୋକ ରାସ୍ତା ଉପରେ ଗଦା ହେବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା । ଘଣ୍ଟାଏ କାଳ ଟ୍ରାଫିକ ଜାମ ହେବା ପରେ ଅନ୍ୟ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମାଲିକଙ୍କ ପରିବାରକୁ ଗାଡ଼ି ସହ ନେଇ ଥାନାରେ ଅଟକ ରଖିଥିଲେ । ଏହି ଘଟଣାରେ ପୁଲିସ କୈାଣସି କାର୍ଯ୍ୟାନୁଷ୍ଟାନ ନେବା ବଦଳରେ ସଂନ୍ଧ୍ୟାରେ ଆଲୋଚନା କରି ଛାଡ଼ି ଦେଇଥିବା ଜଣାପଡ଼ିଛି ।







