ନୟାଗଡ଼,(ବାଘୁଆବାର୍ତ୍ତା): ଦୀର୍ଘଦିନ ପରେ ନୟାଗଡ଼ ପୁଲିସର ରୂପରେଖ ବଦଳିବାକୁ ଯାଉଛି । ନୟାଗଡ଼ ଜିଲ୍ଲା କିଛି ଅପାରଗ ପୁଲିସ କର୍ମଚାରୀଙ୍କ ବିଗତ ଦିନରେ ବଦନାମ ମୁଣ୍ଡାଇଥିବା କାରଣକୁ ଦୃଷ୍ଟି ଦେଇ ନୂଆ ରଣନୀତି ପ୍ରସ୍ତୁତ ଚାଲିଥିବା ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ଦଶପଲ୍ଲା ଥାନା ଅଧିକାରୀ କିରଣ ହେମ୍ରମ ଏବଂ ସଦରଥାନା ଅଧିକାରୀ ଶରତ କୁମାର ପାତ୍ରଙ୍କ ପଦୋନ୍ନତୀ ସହ ବଦଳି ହୋଇଛି । ଏଥିପାଇଁ ଏହି ଦୁଇ ଥାନା ଖାଲି ପଡ଼ିବାକୁ ଯାଉଥିବା ବେଳେ କିଛି ମାସ ହେବ ନୂଆଗାଁ ଥାନା ଇନ୍ସିପେକ୍ଟର ଶୁନ୍ୟ ହୋଇଥିବା ଜଣାଯାଇଛି । ନୂଆଗାଁ ଥାନା ଏସଆଇ ରମେଶ ଦେବତାଙ୍କ ଅଧିନାୟକତ୍ୱରେ ଚାଲିଥିବା ବେଳେ ଅନେକ ଥାନାରେ କର୍ମଚାରୀ ଅଭାବ ଦେଖିବାକୁ ମିଳିଛି । ସେହିଭଳି ଭାବେ ଇଟାମାଟି ଥାନା ଅଧିକାରୀ ଦୀପକ ଖଣ୍ଡାୟତରାୟ ଏସ୍ଆଇରୁ ଇନ୍ସିପେକ୍ଟର ଭାବେ ପଦୋନ୍ନତୀ ପାଇଥିବା ବେଳେ ପୁଲିସ ଟ୍ରେନିଂ ସ୍କୁଲର ଦୁଇ ଜଣ ଏସ୍ଆଇ ଇନ୍ସିପେକ୍ଟର ଭାବେ ପଦୋନ୍ନତୀ ପାଇ ନୟାଗଡ଼ ଜିଲ୍ଲାରେ ଅବସ୍ଥାପିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସରେ ବ୍ୟାପକ ଅଦଳବଦଳି ହେଉଥିବା ସୂଚନା ମିଳିଛି । ଜାତୀୟ ରାଜପଥ କଡ଼ରେ ଥିବା ସମସ୍ତ ଥାନା ସହିତ ଅନ୍ୟ କିଛି ଥାନା ନୂଆ ଅଧିକାରୀଙ୍କୁ ମୁହଁ ଦେଖିବ ବୋଲି ଆଲୋଚନା ହେଉଛି । ଏଥିସହିତ କିଛି ଏସ୍ଆଇ ଏବଂ ଏଏସଆଇଙ୍କ ବଦଳି କରାଯିବାର ସମ୍ଭାବନା ରହିଛି ।





