କଟକ,(ବାଘୁଆବାର୍ତ୍ତା): ଓଡିଶା ପୋଲିସର ରାଜ୍ୟସ୍ତରୀୟ ୮୬ ତମ ପ୍ରତିଷ୍ଠା ଦିବସ ଆଜି ପୂର୍ବାହ୍ନରେ ଷଷ୍ଠ ବାଟାଲିୟନ ଠାରେ ପାଳନ କରାଯାଇଅଛି । ଏହି ଅବସରରେ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ପୋଲିସ ସେବାରେ ଉଲ୍ଲେଖନୀୟ କାର୍ୟ୍ୟପାଇଁ ସଫଳ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଶ୍ରୀ ଅଭୟ କିଛି ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ମୁଖ୍ୟ ଅତିଥି ଡି.ଜି.ପି ପ୍ରଥମେ ସହିଦ ପୋଲିସ କର୍ମଚାରୀ ଏବଂ କୋଭିଡ ବିରୁଦ୍ଧରେ ଲଢେଇ କରି ପ୍ରାଣବଳି ଦେଇଥିବା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମାଲକାନଗିରି ଉପାନ୍ତ ଅଞ୍ଚଳରେ ନକ୍ସଲ ଦମନ ଅଭିଯାନରେ ଓଡିଶା ପୋଲିସରପ୍ରଦର୍ଶନ ବେଶ ଉଚ୍ଚକୋଟିର ରହିଛି । ସେହିପରି ନିଶାଦ୍ରବ୍ୟ ଚୋରାଚାଲାଣ ରୋକିବାରେ ପୋଲିସର ଭୂମିକା ପ୍ରଶଂସନୀୟ । ଓଡିଶା ପୋଲିସ ବିପୁଳ ପରିମାଣରେ ବ୍ରାଉନ ସୁଗାର ଏବଂ ଗଞ୍ଜେଇ ଜବତ କରି ରେକର୍ଡ ସୃଷ୍ଟି କରିଛି ବୋଲି ଡିଜିପି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହିଳା ଓ ଶିଶୁ ମାନଙ୍କ ବିରୋଧରେ ଅପରାଧକୁ ଦୃଢ ହସ୍ତରେ ଦମନ, ଭର୍ଚୁଆଲ ପୋଲିସ ଷ୍ଟେସନ ବ୍ୟବସ୍ଥାରେ ଥାନାକୁ ନଯାଇ “ସିଟିଜେନ ପୋର୍ଟାଲ୍” ଏବଂ “ସହାୟତା ମୋବାଇଲ ଆପ”ମାଧ୍ୟମରେ ଲୋକମାନେ ସେମାନଙ୍କ ଅଭିଯୋଗ ର-ୠ.ଓ.ଜଦାଖଲ, ରାଜ୍ୟର ନିଖୋଜ ଶିଶୁଙ୍କୁ ଠାବ କରିବା, ମାଓବାଦୀ କାର୍ୟ୍ୟକଳାପକୁ ଦୃଢହସ୍ତରେ ଦମନ ଭଳି ପଦକ୍ଷେପ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ କ୍ଷେତ୍ରରେ ପୋଲିସକୁ ସତର୍କତାର ସହ କାର୍ୟ୍ୟ କରିବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାନ୍ୟବର ରାଜ୍ୟପାଳଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଛା ବାର୍ତ୍ତାକୁ ଏ.ଡି.ଜି (ହେଡ୍ କ୍ୱାର୍ଟର) ଶ୍ରୀ ଲଳିତ ଦାସ ପାଠ କରିଥିଲେ । ଏହା ପରେ ମୁଖ୍ୟ ଅତିଥି ଉଲ୍ଲେଖନୀୟ ପୋଲିସ ସେବା ପାଇଁ କିଛି ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ଏ.ପି.ଆର୍ କନେଷ୍ଟବଳ ଅଶ୍ୱିନୀକାନ୍ତ ସାହୁ , ଓ.ଆର୍ କନେଷ୍ଟବଳ ସନ୍ତୋଷ କୁମାର ନାୟକ, ଟ୍ରାଫିକ କନେଷ୍ଟବଳ ପ୍ରଶାନ୍ତ କୁମାର ପରିଡା, ହାବିଲଦାର ପୋତୁରାଜ କୁର୍ମି, ଏ.ଏସ୍.ଆଇ କୈଳାସ ଚନ୍ଦ୍ର ପ୍ରଧାନ, ସବ୍-ଇନିସ୍ପେକ୍ଟର ସରୋଜ କୁମାର ନାୟକ, ଇନିସ୍ପେକ୍ଟର ଚିନ୍ତାମଣି ପ୍ରଧାନ, ଇନିସ୍ପେକ୍ଟର ଗୀତାଞ୍ଜଳି ପଣ୍ଡା, ଇନିସ୍ପେକ୍ଟର ଆଶିଷ କୁମାର ରାଉତ ଓ ଶ୍ରେଷ୍ଠ ଟିମ୍ ଲିଡର ଏସ୍.ଓ.ଜି ର ଡେପୁଟି ସୁବେଦାର ଶାସ୍ୱତ ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଷଷ୍ଠ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ କଟକକୁ ଶ୍ରେଷ୍ଠ ବାଟାଲିୟନ ଭାବେ ପୁରସ୍କୃତ କରାଯାଇଥିଲା । ଶ୍ରେଷ୍ଠ ପରିବାର କଲ୍ୟାଣ କେନ୍ଦ୍ର ଭାବେ ଓ.ଏସ୍.ଏ.ପି ଷଷ୍ଠ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ, କଟକ, ଓ.ଏସ୍.ଏ.ପି ସପ୍ତମ ବାଟାଲିୟନ, ଭୁବନେଶ୍ୱର, ଓ.ଏସ୍.ଏ.ପି ଦ୍ୱିତୀୟ ବାଟାଲିୟନ ଝାରସୁଗୁଡା ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଅବସରପ୍ରାପ୍ତଏ.ଡି.ଜି ଶ୍ରୀ ଆଶୁତୋଷ ମିଶ୍ର,ଏବଂ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ବିଶ୍ୱାଳ,ଅବସରପ୍ରାପ୍ତ ଏସ୍.ପି ଭିଜିଲାନ୍ସ, କଟକଙ୍କୁ ମଧ୍ୟ ସମ୍ୱର୍ଦ୍ଧିତ କରାଯାଇଥିଲା । ଆଜିର ଏହି ଆନୁଷ୍ଠାନିକ ପରେଡରେ ସର୍ବମୋଟ ଛଅ (୬) ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ । ପ୍ୟାରେଡର ମୁଖ୍ୟ କମାଣ୍ତରଲୋଚନ ପଶାୟତ, ଡେପୁଟି କମଣ୍ଡାଣ୍ଟ, ଓ.ଏସ୍.ଏ.ପି, ପ୍ରଥମ ବାଟାଲିୟନ, ଢେଙ୍କାନାଳ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା । ଏ.ଡି.ଜି (ହେଡ୍ କ୍ୱାର୍ଟର) ଶ୍ରୀ ଲଳିତ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସମସ୍ତ କାର୍ୟ୍ୟ ପରିଚାଳନା କରାଯାଇଥିଲା । ଏହାପରେ ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ ଠାରେ୬୧ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ ପ୍ରଦାନ କରାଯିବା ସହ ସ୍ୱର୍ଗତ ଭ୍ରମରବର ସାହୁ ଓ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମୃତି ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।ମାଲକାନଗିରି ଜିଲ୍ଲାର ସ୍ୱର୍ଗତଃ ଜୟରାମ କବାସି ଓ ସ୍ୱର୍ଗତଃ ରାମୁ ଦରୁଆ, ମୟୂରଭଞ୍ଜର ସ୍ୱର୍ଗତଃ ସୁଧିର କୁମାର ଟୁଡୁ, ଅନୁଗୋଳର ସ୍ୱର୍ଗତଃ ଦେବାଶିଷ ସେଠୀଙ୍କୁ ସ୍ୱର୍ଗତଃ ଭ୍ରମରବର ସାହୁ ସ୍ମୃତି ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି କନ୍ଧମାଳ ଜିଲ୍ଲାର କାର୍ତ୍ତିକ କହଁର, ଯଶବନ୍ତ ସାହୁ, ବନ୍ତି ପ୍ରଧାନ, ପରମାନନ୍ଦ ବେହାରଦଳାଇ ଏବଂ ପ୍ରକାଶ ଚନ୍ଦ୍ର ସାହୁ (ଭୁବନେଶ୍ୱର) ଙ୍କୁ ସ୍ୱର୍ଗତଃ ରାଜେନ୍ଦ୍ର ମୋହନ ପଟ୍ଟନାୟକ ସ୍ମୃତି ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।






