ପଦ୍ମପୁର, (ବାଘୁଆବାର୍ତ୍ତା): ବରଗଡ ଜିଲ୍ଲା ଡଭା ଗ୍ରାମରେ ଝାରବନ୍ଧ ପୋଲିସ ଗାଡିର କାଚ ଭାଙ୍ଗିବା ସହ ପୋଲିସ ସହିତ ଧସ୍ତାଧସ୍ତି କଲେ ଲୋକେ । ଗୁରୁବାର ରାତିରେ ଦୁର୍ଗାପୂଜା ହେଉଥିବା ସମୟରେ ପୋଲିସ ପହଞ୍ଚିଥିଲା ଏବଂ ରାତିରେ ହେଉଥିବା ବିଭିନ୍ନ କାର୍ୟ୍ୟକ୍ରମ ବନ୍ଦ କରିବାକୁ କହିଥିଲା । ହେଲେ ସେଠାରେ ଥିବା ଗ୍ରାମବାସୀ ଏକଥା ଶୁଣି ଉତ୍ତେଜିତ ହୋଇ ଉଠିଥିଲେ ଏବଂ ରାଗିଯାଇ ପୋଲିସ ସହ ଧସ୍ତାଧସ୍ତି କରିଥିଲେ ଓ ଗାଳିଗୁଲଜ କରିଥିଲେ । ପୋଲିସ ଗାଡିର ପଛପଟ କାଚ ପିଟି ପିଟି ଭାଙ୍ଗି ଦେଇଥିଲେ । ଏହାପରେ ପୋଲିସ କିଛି ନ କହି ଘଟଣାସ୍ଥଳରୁ ଚାଲି ଆସିଥିଲା । ପରେ ଏହି ଘଟଣାକୁ ନେଇ ପୋଲିସ ଦୁଇଟି ମାମଲା ରୁଜୁ କରିଛି । ପୋଲିସ ଗାଡି ଭାଙ୍ଗିଥିବା ଓ କୋଭିଡ୍ ନିୟମ ନମାନି ଭିଡ ଜମାଇ ଥିବା ଅଭିଯୋଗରେ ମାମଲା ଦାୟର କରିଛି ଝାରବନ୍ଧ ପୋଲିସ ।






