ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଜଣେ ପୁଲିସ କର୍ମଚାରୀଙ୍କ ଦିନ ଦ୍ୱିପହରେ ୪ଗୋଟି ଅଣ୍ଡା ଚୋରୀ କରି ଚାକିରି ହରେଇବାକୁ ପଡିଛି । ମାତ୍ର ୪ଟି ଅଣ୍ଡା ପାଇଁ ଖାକିରେ ଲାଗିଲା ଦାଗ । ସମସ୍ତଙ୍କ ଆଖି ସାମ୍ନାରେ ୪ଟି ଅଣ୍ଡାକୁ ଠେଲାରୁ ଆଣି ପକେଟରେ ପୂରାଇ ଦେଉଛନ୍ତି ଏହି ପୁଲିସ କନେଷ୍ଟବଳ । ଆଉ ଚୁପଚାପ ସେଠାରୁ ପଳାଉଛନ୍ତି । ଲୋକମାନଙ୍କ ହାତରୁ ସିନା ଖସିଗଲେ ହେଲେ କ୍ୟାମେରାରେ କଏଦ ହୋଇଗଲା ତାଙ୍କର ଏହି କାରନାମା । ଏହି ପୁଲିସ କନେଷ୍ଟବଳଙ୍କ ଅଣ୍ଡା ଚୋରିର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ପଞ୍ଜାବର ଫତେଗଡ଼ ସାହିବ ଜିଲ୍ଲାରେ । ଏହି ଭିଡିଓ ବହୁତ ମାତ୍ରାରେ ସେୟାର ହୋଇଥିଲା । ଆଉ ଅନେକ ଲୋକ ପୁଲସିର ଏଭଳି କାର୍ଯ୍ୟକୁ ନିନ୍ଦା ମଧ୍ୟ କରିଥିଲେ । ଶେଷରେ ପଞ୍ଚାବ ପୋଲିସ ପାଖରେ ଏହି ଭିଡିଓ ପହଁଞ୍ଚିବା ପରେ କନେଷ୍ଟବଳ ପ୍ରିତପାଲ ସିଂକୁ ନିଲମ୍ବନ କରାଯାଇଛି । ଆଉ ତାଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜାବ ପୁଲିସ ନିଜେ ଟ୍ୱିଟର ପେଜରେ ଏହି ଭିଡିଓ ସେୟାର କରିଛି । ତେବେ କନେଷ୍ଟବଳଙ୍କ ଏଭଳି କାମ ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିବା ଟ୍ୱିଟର ପେଜରେ ସୂଚନା ଦେଇଛି ପଞ୍ଜାବ ପୋଲିସ । ତେବେ ଏହି ଭିଡିଓକୁ ୧୦ ହଜାରରୁ ଅଧିକ ଲୋକ ଦେଖଇସାରିଲେଣି । ସାମାନ୍ୟ ୪ଟି ଅଣ୍ଡା ଯାହାର ଦାମ ୨୦ଟଙ୍କା । ଯାହାକି ଏବେ ଖାକି ଉପରେ ଭାରି ପଡିଛି । ୪ଟି ଅଣ୍ଡା ଚୋରୀ କରିବାକୁ ଯାଇ ଖାକିରେ ଦାଗ ଲଗାଇଦେଲେ କନେଷ୍ଟବଳ । ଲୋଭର ଶିକାର ହୋଇ ତାଙ୍କୁ ଶେଷରେ ଚାକିରି ବି ହରାଇବାକୁ ପଡିଛି । ଲୋକଙ୍କ ଜିନିଷକୁ ସୁରକ୍ଷା ଦେବା ବଦଳରେ ନିଜେ ହିଁ ପାଲଟିଗଲେ ଚୋର । ନିଜ ମାନ ସମ୍ମାନ ହରାଇବା ସହ ଖାକି ପାଇଁ କଳଙ୍କ ହୋଇଗଲେ । ଅନେକ ସମୟରେ ପୁଲିସ ଉପରେ ଲୋକମାନଙ୍କ ଭରସା ରହିଥାଏ । ଯଦି ପୁଲିସ ଏଭଳି କାର୍ଯ୍ୟ କରିବ ତେବେ ଲୋକମାନଙ୍କ ଭରସା ତୁଟିଯିବ ।





