କୋରାପୁଟ, (ବାଘୁଆବାର୍ତ୍ତା): ଯୁବତୀ ଜଣଙ୍କୁ ସରକାରୀ ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇ ଧରାପଡ଼ିଛି । କୋରାପୁଟ ସହରର ସୁନାରି ସାହିର ଜଣେ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ନକଲି ନିଯୁକ୍ତି ପତ୍ର ଦେଇ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିନେଇଥିବା ଅପରାଧରେ କୋରାପୁଟ ଟାଉନ ଥାନା ପୁଲିସ ଆଜି ୨ଜଣଙ୍କୁ ଗିରଫ କରିଛି । ସୂଚନାନୁସାରେ, କୋରାପୁଟ ଟାଉନ ଥାନା ସୁନାରି ସାହିରେ ଶିବାନୀ ପଟ୍ଟନାୟକ ନାମ୍ନୀ ଜଣେ ଯୁବତୀଙ୍କୁ ନିଯୁକ୍ତି ଦେବା ନାଁରେ ୨ଲକ୍ଷ ଟଙ୍କା ଠକେଇ ଅପରାଧରେ ଦୁଇ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ କୋରାପୁଟ ଟାଉନ ଥାନା ପୁରୁଣା କୋରାପୁଟର ଅଶୋକ ମହାନ୍ତି ଏବଂ ରେଳବାଇ କଲୋନୀର ପି ପ୍ରସାଦ କୁମାର ରାଓ । ଅଶୋକ ଏବଂ ପ୍ରସାଦ ଦୁହେଁ ଶିବାନୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କ୍ଳର୍କ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଇ ଟଙ୍କା ନେଉଥିଲେ । ଥରକୁ ଥର ଟଙ୍କା ନେଇ ପ୍ରାୟ ୨ଲକ୍ଷ ଟଙ୍କା ଠକିଥିଲେ । ଟଙ୍କା ନେଇ ଶିବାନୀଙ୍କୁ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ନକଲି କ୍ଳର୍କ ନିଯୁକ୍ତି ପତ୍ର ଦେଇଥିଲେ । ଏହା ଜଣାପଡ଼ିବା ପରେ ଶିବାନୀ କୋରାପୁଟ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଯୁବକଙ୍କୁ ଗିରଫ କରିଛି । ଜେରା କରିବା ପରେ ଜଣାପଡିଛି ଯେ, ଫେସବୁକରୁ ୨୦୧୮ ମସିହାରୁ ଶିବାନୀ ଦୁହିଁଙ୍କ ସମ୍ପର୍କରେ ଆସିଥିଲେ । ସେମାନେ ଚାକିରି କରାଇଦେବା ପାଇଁ ଶିବାନୀ ଉପରେ ବିଶ୍ୱାସ ଜନ୍ମାଇଥିଲେ । ଥରକୁ ଥର ଟଙ୍କା ମାଗି ପ୍ରାୟ ୨ଲକ୍ଷ ଟଙ୍କା ନେଇ ନକଲି ନିଯୁକ୍ତି ପତ୍ର ଦେଇଥିଲେ । ପି ପ୍ରସାଦ ଠାରୁ ପୁଲିସ ୯୫ ହଜାର ଟଙ୍କା ଉଦ୍ଧାର କରିଛି । ଉଦ୍ଦାର ଟଙ୍କା ପୁଲିସ ଶିବାନୀଙ୍କୁ ହସ୍ତାନ୍ତର କରିଛି । କିନ୍ତୁ ଅଶୋକ ନେଇଥିବା ଟଙ୍କା ଫେରସ୍ତ ଦେଇନାହିଁ । ଦୁଇ ଜଣଙ୍କ ନାମରେ କୋରାପୁଟ ଟାଉନ ଥାନାରେ କେସ ନଂ ୬୩/୨୧ ରେ ଏକ ମାମଲା ରୁଜୁ କରାଯାଇଛି । ସେମାନଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପଟ୍ଟନାୟକ କୋରାପୁଟ ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ଅବସରରେ ଇନ୍ସପେକ୍ଟର ଏସପି ମାଝୀ, ସବଇନ୍ସପେକ୍ଟର ସୁଦର୍ଶନ ଅଧିକାର ପ୍ରମୁଖ ଉପସ୍ଥିତ ଥିଲେ ।






