ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା (ପିଏମ୍ଜିୱାଇ)ର ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଏବଂ ଡିଡବ୍ଲ୍ୟୁଓ ସୀମାଞ୍ଚଳ ବେହେରା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସାରା ଓଡ଼ିଶାରେ ୧୯୨ଟି ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଚିହ୍ନଟ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ୧୫ଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଭାବେ ଚିହ୍ନଟ କରାଯାଇଛି । ୫୦ ପ୍ରତିଶତ ଅନୂସୂଚିତ ଜନଜାତି ଥିବା ଗ୍ରାମକୁ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ୍ୟ ମାନ୍ୟତା ମିଳିଥିବା ବେଳେ କିଭଳି ଏହି ଗ୍ରାମ ଗୁଡ଼ିକର ବିକାଶ ହେବ ଏବଂ ଗ୍ରାମବାସୀମାନେ ଉଚ୍ଚବର୍ଗ ସହ ସମାନ ହୋଇ ବସବାସ କରିବେ ସେ ନେଇ ବୈଠକରେ ଆଲୋଚନା କରାଯାଇଛି । ଏହି ଗ୍ରାମରେ ପାନୀୟଜଳ, ପରିମଳଠାରୁ ଆରମ୍ଭ କରି ସରକାରଙ୍କ ସବୁ ଯୋଜନା ଶତ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଏବଂ ନୟାଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ କର୍ମଚାରୀ ଯୋଗ ଦେଇଥିବା ଜଣାଯାଇଛି ।





