ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁ ଅଚାନକ ଖଣ୍ଡପଡ଼ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତ ବୁଲିବା ସହ ଖଣ୍ଡପଡ଼ା ଏନଏସିରେ ଚାଲୁରହିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ୟ୍ୟର ସମୀକ୍ଷା କରିଛନ୍ତି । ନୟାଗଡ଼ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ, ଜଳ ଓ ପରିମଳ କାର୍ଯ୍ୟନିର୍ବାହି ଯନ୍ତ୍ରୀ ରାଜିବ ପାଣିଗ୍ରାହି, ଖଣ୍ଡପଡା ତହସିଲଦାର ପାର୍ଥସାରଥୀ ହାଂସିଦା, ଖଣ୍ଡପଡ଼ା କାର୍ୟ୍ୟ ନିର୍ବାହୀ ଅଧିକାରୀଣି ଇତିଶ୍ରୀ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ କର୍ମଚାରୀଙ୍କ ସହ ପ୍ରଥମେ ସହରର ୧ ନଂ ୱାର୍ଡ଼ରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣକୁ ବୁଲି ଦେଖିଥିଲେ । ଏଥିସହ ଚାଲିଥିବା ଆହାର କେନ୍ଦ୍ରକୁ ପ୍ରସ୍ତାବିତ ଥିବା ନୂତନ ସ୍ଥାନରେ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ କାର୍ୟ୍ୟନିର୍ବାହୀ ଅଧିକାରିଣୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ନିକଟରେ ଥିବା ନୂଆପୋଖରୀ ହୁଡ଼ାରେ ଛୋଟ ପିଲାଙ୍କ ପାଇଁ ପାର୍କ ନିର୍ମାଣ କାର୍ୟ୍ୟ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବହୁ ଉନ୍ନୟନ ମୂଳକ କାର୍ୟ୍ୟ ସହରାଞ୍ଚଳ ବାସୀଙ୍କ ପାଇଁ ଆସୁଥିବା ବେଳେ ଖଣ୍ଡପଡ଼ାରେ କିପରି ସମସ୍ତେ ପାଇ ପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥିସହ ବନମାଳିପୁର ପଞ୍ଚାୟତ ଠାରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପକୁ ବୁଲି ଦେଖିଥିଲେ । ବଳମାଳିପୁର ହାଇସ୍କୁଲରେ କାର୍ଯ୍ୟରତ ସ୍ମାର୍ଟ କ୍ଳାସ, ଇ-ଲାଇବ୍ରେରୀ, ବିଜ୍ଞାନ ଲାବୋରିଟେରୀ କାର୍ଯ୍ୟକୁ ତଦାରଖ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ, ଏସଏମସି, ବିଭିନ୍ନ ଅଧିକାରୀମାନେ ଯୋଗଦେଇଥିଲେ ।





