ପୁରୀ, (ବାଘୁଆବାର୍ତ୍ତା): ପିପିଲି ବିଧାନସଭା ଉପନିର୍ବାଚନ ମତଦାନ ନିମନ୍ତେ ମଙ୍ଗଳବାର ନିର୍ବାଚନ କର୍ମଚାରୀ ଦଳ ମତଦାନ କେନ୍ଦ୍ର ଅଭିମୁଖେ ଯାତ୍ରା କରିବେ । ସକାଳ ୬ଟାରୁ ୧୦ଟା, ୧୦ଟାରୁ ଅପରାହ୍ନ ୧ଟା, ଅପରାହ୍ନ ୧ଟାରୁ ୪ଟା ମଧ୍ୟରେ ଦଫା ଦଫା ହୋଇ ନିର୍ବାଚନ ପରିଚାଳନା କର୍ମଚାରୀ ଦଳଙ୍କୁ ତାଳବଣିଆ ୱେର ହାଉସ୍ ଠାରୁ ପଠାଯିବ । ଦଳଗୁଡ଼ିକ ସହଜରେ ଇଭିଏମ୍ ଓ ଅନ୍ୟ ସାମଗ୍ରୀ ଗ୍ରହଣ କରିବା ନିମନ୍ତେ ୱେର ହାଉସ୍ ଠାରେ ୧୦ଟି କାଉଣ୍ଟର କରାଯାଇଛି । ପିପିଲି ଉପନିର୍ବାଚନରେ ମୋଟ ୩୪୮ ବୁଥ୍ କରାଯାଇଛି । ଯେଉଁଠାରେ ମତଦାନ ହେବ । ଏହା ଭିତରେ ୧୦୨ଟି ସମ୍ବେଦନଶୀଳ ଓ ୭୩ଟି ଅତିସମ୍ବେଦନଶୀଳ ବୁଥ୍ ରହିଛି । ଏହି ମୋଟ ୧୭୫ଟି ଉତ୍ତେଜନାପ୍ରବଣ ବୁଥ୍ରେ ନଜର ରଖିବା ନିମନ୍ତେ ପ୍ରଶାସନ ୱେବ୍କାଷ୍ଟିଂ କ୍ୟାମେରା ଲଗାଇବା ବ୍ୟବସ୍ଥା କରିଛି । ୨୩ଜଣ ମାଇକ୍ରୋ ପର୍ୟ୍ୟବେକ୍ଷକ ରହି ସ୍ଥିତି ଉପରେ ନଜର ରଖିବେ । ୧୨ଟି ବୁଥ୍ରେ ଭିଡିଓ ରେକର୍ଡିଂ କରାଯିବ । ପ୍ରଶାସନ ପକ୍ଷରୁ ୨୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି । ଜିଲ୍ଲାପାଳ ସମସ୍ତ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଉପନିର୍ବାଚନ ନିମନ୍ତେ ପ୍ରାୟ ୨ ହଜାର କର୍ମଚାରୀ ଓ ଅଧିକାରୀ ନିୟୋଜିତ ହେଉଛନ୍ତି । ୫୦୦ ଗାଡି ଏଥିନିମନ୍ତେ ବ୍ୟବହାର ହେବ । ପ୍ରତି ନିର୍ବାଚନ ପରିଚାଳନା ଦଳ ସହ ପୁଲିସକୁ ମିଶାଇ ୫ ଜଣ କର୍ମଚାରୀ ରହିବେ । ୭୦ ନିର୍ବାଚନୀ ଦଳକୁ ଅତିରିକ୍ତ ପ୍ରସ୍ତୁତ ରଖାଯିବ । ଜରୁରି ସମୟରେ ଏହାକୁ ନିୟୋଜିତ କରାଯିବ । ମତଦାନ ସୁରକ୍ଷାରେ ୧୯୮୩ ସୁରକ୍ଷା କର୍ମୀ ମୁତୟନ ହେବେ । ୩୨ଟି ପାଟ୍ରୋଲିଂ ଟିମ୍ ନିୟୋଜିତ ହେବେ । ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ନିମନ୍ତେ ଅର୍ଦ୍ଧସାମରିକ ଓ ପୁଲିସ ବାହିନୀ ନିର୍ବାଚନ ଶେଷ ପର୍ୟ୍ୟନ୍ତ ଫ୍ଲାଗ ମାର୍ଚ୍ଚ କରିବେ । ଏସ୍ପି ଡ. କନୱର ବିଶାଲ ସିଂ ଏହାର ନିରୀକ୍ଷଣ କରୁଛନ୍ତି । ସୋମବାର ସନ୍ଧ୍ୟା ସୁଦ୍ଧା ନିର୍ବାଚନୀ ପ୍ରଚାର ଅବଧି ଶେଷ ହୋଇଛି । ୩୦ ତାରିଖରେ ମତଦାନ ତାରିଖ ରହିଥିବାରୁ ଆସନ୍ତା ୩ ଦିନ ପ୍ରଶାସନ ଶୃଙ୍ଖଳା ରକ୍ଷା ନିମନ୍ତେ ଜୋରଦାର ଉଦ୍ୟମ କରୁଛି । ସୋମବାର ପୂର୍ବାହ୍ନରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସ୍ଥିତିର ସମୀକ୍ଷା ଭିଡିଓ କନ୍ଫରେନ୍ସ ଜରିଆରେ କରିଥିଲେ । ଜିଲ୍ଲା ଏନ୍ଆଇସି ପ୍ରକୋଷ୍ଠରେ ହୋଇଥିବା ଏହି ସମୀକ୍ଷାରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. ସିଂଙ୍କ ସମେତ ନିର୍ବାଚନ ପରିଚାଳନା କରୁଥିବା ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ସୁଭାଷ ନାଥଶର୍ମା, ପିଡି ଜ୍ୟୋତିଶଙ୍କର ମହାପାତ୍ର, ଡେପୁଟି କଲେକ୍ଟର ଜିତେନ୍ଦ୍ର କୁମାର ପାତ୍ର, ସୁମନ୍ତ କର ପ୍ରମୁଖ ଅଧିକାରୀମାନେ ବିଶଦ ସୂଚନା ଦେଇଥିଲେ । ନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ମତଦାତା ଅଛନ୍ତି ।






