ପୁରୀ, (ବାଘୁଆବାର୍ତ୍ତା): ପିପିଲି ବିଧାନସଭା ଉପନିର୍ବାଚନ ସରିଛି । ମତଦାନ ପରେ ଇଭିଏମ୍ସବୁ ପୁରୀ ପେଣ୍ଠକଟାସ୍ଥିତ ୱେୟର ହାଉସରେ ନିର୍ମିତ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ଏହି ଷ୍ଟ୍ରଙ୍ଗ୍ ରୁମକୁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ପ୍ରଥମ ବଳୟରେ (ଇନର କର୍ଡନ୍)ରେ କେନ୍ଦ୍ରୀୟ ସୁରକ୍ଷା ବଳର ବିଏସଏଫ୍ ଯବାନ ମୁତୟନ ହୋଇଛନ୍ତି । ଦ୍ୱିତୀୟ ବଳୟରେ ଷ୍ଟେଟ ଆର୍ମଡ୍ ପୁଲିସ (ଓଏସଏପି) ଫୋର୍ସ ଓ ତୃତୀୟ ବଳୟରେ ଅଛନ୍ତି ଜିଲ୍ଲା ପୁଲିସ ଫେର୍ସର ଏପିଆର ବାହିନୀ । ତିନି ପ୍ଳାଟୁନ୍ ବିଏସଏଫ୍ ଓ ଓଏସଏପି ଫୋର୍ସ ଷ୍ଟ୍ରଙ୍ଗ୍ ରୁମ୍ ସୁରକ୍ଷା ବଳୟରେ ପ୍ରହରା ଦେଉଛନ୍ତି । ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ଦୁଇ ଜଣ ପୁଲିସ ଇନ୍ସପେକ୍ଟର ସିଫ୍ଟ ଆଧାରରେ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ତଦାରଖ କରୁଛନ୍ତି । ପାଞ୍ଚ ଜୁନିଆର ର୍ୟା୍ଙ୍କର ପୁଲିସ ଅଫିସରଙ୍କୁ ସହାୟକ ରୂପେ ନିୟୋଜିତ କରାଯାଇଛି । ସେହିଭଳି ରାଜସ୍ୱ ବିଭାଗର ଅଧିକାରୀମାନେ ଷ୍ଟ୍ରଙ୍ଗ୍ ରୁମ୍ ଉପରେ ନଜର ରଖିଛନ୍ତି । କେବଳ ଅଧିସ୍ୱୀକୃତ ଅଫିସରମାନେ ଷ୍ଟ୍ରଙ୍ଗ୍ ରୁମକୁ ଯିବା ଆସିବା କରୁଛନ୍ତି । ପ୍ରବେଶ ପଥରେ ଚେକିଂ ନିରନ୍ତର ହେଉଛି । ଏସପି କେ ବିଶାଳ ସିଂହ ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି ପେଣ୍ଠକଟା ୱେର ହାଉସ ଷ୍ଟ୍ରଙ୍ଗ୍ ରୁମରେ ବାଲଟ ବକ୍ସ ଷ୍ଟ୍ରଙ୍ଗ୍ ରୁମ୍କୁ ଫୁଲ ପ୍ରୁଫ୍ ସୁରକ୍ଷା ବଳୟରେ ରଖାଯାଇଛି । କୌଣସି ଆଇନ ଶୃଙ୍ଖଳା ପରିସ୍ଥିତିର ଶଙ୍କା ଆଶଙ୍କା ନାହିଁ । ଉଲ୍ଲେଖଯୋଗ୍ୟ, ଗୁରୁବାର ଉପ ନିର୍ବାଚନରେ ନିର୍ବାଚନ ମଣ୍ଡଳୀର ୨ ଲକ୍ଷ ୨୯ ହଜାର ୯୯୮ ମତଦାତାଙ୍କ ମଧ୍ୟରୁ ଭୋଟ ଦେଇଛନ୍ତି ୧, ୭୯, ୯୮୦ । ମତ ସାବ୍ୟସ୍ତ କରିଥିବା ଭୋଟଦାତାଙ୍କ ମଧ୍ୟରେ ରହିଛନ୍ତି ୯୫,୩୮୩ ପୁରୁଷ ଓ ୮୪, ୫୯୭ ମହିଳା ମତଦାତା । ନିର୍ବାଚନମଣ୍ଡଳୀର ପୁରୁଷଙ୍କ ମତଦାନ ହାର ୮୦ ଦଶମିକ ୦୨ ଥିବା ବେଳେ ମହିଳାଙ୍କ ହାର ୭୬ ଦଶମିକ ୩୬ ପ୍ରତିଶତ । ଉପନିର୍ବାଚନରେ ଚୂଡାନ୍ତ ମତଦାନ ହାର ହେଉଛି ୭୮ ଦଶମିକ ୨୫ ପ୍ରତିଶତ । ଗତ ବିଧାନସଭା ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନରେ । ୭ ଦଶମିକ ୨୫ ପ୍ରତିଶତ ଅଧିକ ଦାନ ହୋଇଛି । ଉପନିର୍ବାଚନରେ ମତାଦାତାଙ୍କ ଉତ୍ସାହକୁ ଏହା ଇଙ୍ଗିତ କରୁଛି । କିନ୍ତୁ ଅଧିକ ମତଦାନ କେଉଁ ଦଳର ପ୍ରାର୍ଥୀଙ୍କ ପାଇଁ ଅଶୀର୍ବାଦ ହେବ ଆଉ କାହା ପାଇଁ ପରାଜୟର କାରଣ ହେବ ତାହା ଆସନ୍ତା ତିନି ତାରିଖ ଭୋଟ ଗଣତି ବେଳେ ସ୍ୱଷ୍ଟ ହୋଇଯିବ । ଏହି ନିର୍ବାଚନରେ ମୋଟ ଦଶ ଜଣ ପ୍ରାର୍ଥୀ ଲଢ଼ୁଥିଲେ ।






