ନୟାଗଡ଼, (ବାଘୁଆବାର୍ତ୍ତା): ବିଶ୍ୱ ବିଖ୍ୟାତ ଜ୍ୟୋର୍ତିବଦ୍ ପଠାଣି ସାମନ୍ତଙ୍କର ୧୮୫ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଓଡିଶା ସାହିତ୍ୟ ଏକାଡେମୀ ଓ ପଠାଣି ସାମନ୍ତ ମେମୋରିଆଲ ପରିଷଦର ମିଳିତ ଆନୁକୁଲ୍ୟରେ ଗୁରୁବାର ଖଣ୍ଡପଡା ସାଇ ବୃନ୍ଦାବନ ସେବାଧାମ ପରିସରରେ ଆୟୋଜିତ ଜୟନ୍ତୀ ଉତ୍ସବରେ ଓଡିଶା ସାହିତ୍ୟ ଏକାଡେମୀର ସଚିବ ଜୟନ୍ତୀ ରଥ ମୁଖ୍ୟ ଅତିଥି ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ରମେଶ ଚନ୍ଦ୍ର ମଲ୍ଲିକ ମୁଖ୍ୟ ବକ୍ତା ରୁପେ ଯୋଗଦେଇ ସାମନ୍ତଙ୍କ ସୁଦୂର ପ୍ରସାରୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ରୁପେ ବିଶିଷ୍ଟ ବିଜ୍ଞାନ ତତ୍ୱାବଧାରକ ଅକ୍ଷୟ କୁମାର ଷଡଙ୍ଗୀ, ଓଡିଶା ସାହିତ୍ୟ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ନିର୍ମଳ ଚନ୍ଦ୍ର ଶୁରଦେଓ, ଶିଶୁ କବି କାଶିନାଥ ଦାସ, ଅବସରପ୍ରାପ୍ତ ପ୍ରଶାସକ ଭାରତୀ ଭୁଷଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ବରିଷ୍ଠ ଆଇନଜୀବି ଗିରିଜା ଶଂକର ତରାସିଆ ଉତ୍ସବରେ ପୈାରହିତ୍ୟ କରିଥିବା ବେଳେ କୁନି ପ୍ରତିଭା ରୁପାଲୀ ସାହୁ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।





