ନୟାଗଡ଼, (ବାଘୁଆବାର୍ତ୍ତା): କରୋନା ମହାମାରୀର ପ୍ରଭାବ ଏବେ ସିଧାସଳଖ ଖାଉଟିଙ୍କ ଉପରେ ପଡ଼ିବାକୁ ଯାଉଛି । ଫଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର କିଛି ମାତ୍ରାରେ କଳାବଜାରୀ ନୟାଗଡ଼ ସହରରେ ଚାଲିଥିବା ବେଳେ ଏବେ ସବୁଠାରୁ ଅଧିକ ଆବଶ୍ୟକୀୟ ପରିବା ‘ଆଳୁ’ କେଜି ୩୦ ଛୁଇଁଛି । ସହରରେ ଥିବା ଖୁଚୁରା ବଜାରରେ ଆଳୁ କେଜି ୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅଢେଇ କେଜି ପ୍ରତି ୭୦ ଟଙ୍କା ଦରରେ ବିକ୍ରି ହେଉଥିବା ଜଣାଯାଇଛି । ଯାହାର ସିଧାସଳଖ ପ୍ରଭାବ ଗରୀବ ଘରର ରୋଷେଇ ଉପରେ ପଡ଼ିଛି । ଗରୀବ ଲୋକେ ଅଧିକ ଆଳୁ ଓ ପିଆଜ ଉପରେ ନିର୍ଭର ଶୀଳ ହେଉଥିବା ବେଳେ ଏବେ ଆଳୁ ଦର ସେମାନଙ୍କ ଚିନ୍ତା ବଢ଼ାଇଛି । ବାତ୍ୟା ଅମ୍ପାନ ପ୍ରଭାବରେ ପଶ୍ଚିମବଙ୍ଗରେ ଆଳୁର ଦରବୃଦ୍ଧି ଘଟିବା ଏବଂ ଓଡ଼ିଶାକୁ କମ ପରିମାଣର ଆଳୁ ଆସିବା ଏହାର କାରଣ ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ଆଳୁ, ଡାଲି, ପିଆଜ ଉପରୁ କେନ୍ଦ୍ର ସରକାର କଟକଣା ହଟାଇ ନେଇଥିବାରୁ ଭବିଷ୍ୟତରେ ଏହାର କୁପ୍ରଭାବ ଖାଉଟିଙ୍କ ଉପରେ ପଡ଼ିବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର କ’ଣ ପଦକ୍ଷେପ ନେବେ ତାକୁ ବ୍ୟବସାୟୀମାନେ ଚାହିଁ ରହିଛନ୍ତି ।






