ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ପାରିବାରିକ କଳହର କରୁଣ ପରିଣତି । ଭାଇର ଶାବଳ ମାଡ଼ରେ ଭାଇର ମୃତ୍ୟୁ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜମିଜମା ବିବାଦକୁ ନେଇ ବଡ଼ ବାପା ପୁଅ ଏବଂ ଦାଦା ପୁଅ ଭାଇମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ତେବେ ବଡ଼ ବାପା ପୁଅ ଭାଇର ଶାବଳ ମାଡ଼ରେ ଦାଦା କଂସ ପ୍ରଧାନଙ୍କ ପୁଅ କୁଲୁଙ୍କ ମୁଣ୍ଡ ଫାଟି ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ପରେ ତାଙ୍କୁ ଆଡ଼ପଡା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି । କୁଲୁଙ୍କ ଭାଇ ସନ୍ତୋଷ ପ୍ରଧାନ କହିଛନ୍ତି ଯେ ମୋ ଭାଇକୁ ହତ୍ୟା କରାଯାଇଛି । ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେଇ ଆମକୁ ନ୍ୟାୟ ପ୍ରଦାନ କରାଯାଉ।





