ୱାସିଂଟନ, (ବାଘୁଆବାର୍ତ୍ତା): ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା ମହାକାଶ ଗବେଷଣାରେ ନୂଆ ମାଇଲଖୁଣ୍ଟ ସ୍ଥାପନା କରିଛନ୍ତି। ନାସାଙ୍କ ଅନ୍ତରୀକ୍ଷ ଯାନ ‘ପାର୍କର ସୋଲାର ପ୍ରୋବ’ ସୂର୍ୟ୍ୟଙ୍କ ପୃଷ୍ଠକୁ ଛୁଇଁଛି। ମଙ୍ଗଳବାର ଅନୁଷ୍ଠିତ ଆମେରିକାନ ଜିଓ ଫିଜିକାଲ ୟୁନିୟନ ବୈଠକରେ ମହାକାଶ ବୈଜ୍ଞାନିକ ମାନେ ଏହି ସୂଚନା ଦେଇଛନ୍ତି। କରୋନା ଦେଇ ସୌର ବାତାବରଣର କୌଣସି ଏକ ସ୍ଥାନରେ ପ୍ରୋବ ସୂର୍ୟ୍ୟ ପୃଷ୍ଠକୁ ଛୁଇଁଥିବା କୁହାଯାଇଛି। ଗତ ଏପ୍ରିଲ ମାସରେ ପାର୍କର ସୋଲାର ପ୍ରୋବ ସପ୍ତମ ଥର ଲାଗି ସୂର୍ୟ୍ୟଙ୍କ ଅତ୍ୟନ୍ତ ନିକଟତମ ହୋଇଥିଲା। ଏହି ସମୟରେ ମହାକାଶ ଯାନ ସୂର୍ୟ୍ୟଙ୍କ କରୋନା ଦେଇ ଗତି କରିଥିଲା। ଏ ବାବଦେ ଡାଟା ପ୍ରାପ୍ତ ହେବାକୁ ଆମକୁ କିଛି ମାସ ଲାଗି ଯାଇଥିବା ବେଳେ ଏହାକୁ ପୁଷ୍ଟି କରିବା ଲାଗି ଆଉ କିଛି ମାସ ଲାଗିଥିବା ବୈଜ୍ଞାନିକ କହିଛନ୍ତି। ସୂଚନା ଅନୁସାରେ ପାର୍କର ସୌର ବାୟୁମଣ୍ଡଳରୁ ନିର୍ଗତ ବାୟୁର ଅଶାନ୍ତ ସୀମା ଅତିକ୍ରମ କରିବା ବେଳେ ଏହା ସୂର୍ୟ୍ୟଙ୍କ କେନ୍ଦ୍ରରୁ ୮ ନିୟୁତ ମାଇଲ ( ୧୩ ନିୟୁତ କିଲୋମିଟର) ଦୂରରେ ଯାତ୍ରା କରୁଥିଲା। ବୈଜ୍ଞାନିକଙ୍କ ଅନୁସାରେ ପାର୍କର ଏହି ଅଭିଯାନ କାଳରେ ଅନୁନ୍ୟ ୩ ଥର ସୂର୍ୟ୍ୟଙ୍କ କରୋନା ମଧ୍ୟକୁ ପ୍ରବେଶ କରିଛି। ୱାସିଂଟନସ୍ଥିତ ନାସା ମୁଖ୍ୟାଳୟଙ୍କ ସହଯୋଗୀ ପ୍ରଶାସକ ଥୋମାସ ଜୁରବୁଚେନ୍ ପାର୍କର ସୋଲାର ପ୍ରୋବ ସୂର୍ୟ୍ୟଙ୍କୁ ସ୍ପର୍ଶ କରିବା ସୌର ବିଜ୍ଞାନ ଲାଗି ଏକ ଅବିସ୍ମରଣୀୟ ମୂହୁର୍ତ୍ତ ବୋଲି କହିଛନ୍ତି। ବାସ୍ତବିକ ଏହା ଏକ ଉଲ୍ଲେଖନୀୟ କାର୍ୟ୍ୟ ବୋଲି ସେ କହିଛନ୍ତି। ଏହା ସୌର ବିବର୍ତ୍ତନ ନେଇ କେବଳ ଅନ୍ତର୍ନିହୀତ ସୂଚନା ନୁହେଁ ବରଂ ସୌର ପ୍ରଣାଳୀ ଉପରେ ପ୍ରଭାବର ମଧ୍ୟ ତଥ୍ୟ ପ୍ରଦାନ କରିବ। ତେବେ ପାର୍କରର ଏହି ଅନନ୍ୟ ଅନୁସନ୍ଧାନର ଅନ୍ୟ ମହାକାଶ ଯାନମାନେ ସାକ୍ଷ ହୋଇ ପାରି ନାହାନ୍ତି। କାରଣ ସେ ଗୁଡିକ ସେତେବେଳେ ସୂର୍ୟ୍ୟଙ୍କ ଠାରୁ ଢେର ଦୂରରେ ଥିଲେ। ଏହା ପୂର୍ବରୁ ୨୦୧୯ ମସିହାରେ ସୌର ବାୟୁରେ ଚୁମ୍ବକୀୟ ତରଙ୍ଗ ଥିବାର ପାର୍କର ସୋଲାର ପ୍ରୋବ ପ୍ରଥମ ଥର ତଥ୍ୟ ଦେଇଥିଲା। ପାର୍କର ସୋଲାର ପ୍ରୋବ ୨୦୨୫ରେ ତାର ଚୂଡାନ୍ତ ପରିକ୍ରମଣ କରିବ। ସେ ପର୍ୟ୍ୟନ୍ତ ସେ ଅନେକ ବାର ସୂର୍ୟ୍ୟଙ୍କ ନିକଟତର ହେବା ସାଙ୍ଗକୁ କରୋନା ମଧ୍ୟକୁ ବାରମ୍ବାର ପ୍ରବେଶ କରିବ ବୋଲି ବୈଜ୍ଞାନିକ କହିଛନ୍ତି।






