ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ସଦରଥାନା ଅନ୍ତର୍ଗତ ଯଦୁପୁର ଗ୍ରାମରେ ଘଟିଥିବା ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଦୁଇ ସାମାଜିକ କର୍ମୀଙ୍କ କରିଥିବା ଆମରଣ ଅନଶନ ଆଜି ୫ମ ଦିନରେ ପହଂଚିଛି । ସୂଚନାନୁସାରେ, ପରୀ ହତ୍ୟାକାଣ୍ଡକୁ ୩ ମାସ ବିତି ସାରିଛି । ଜୁଲାଇ ୧୪ ତାରିଖରେ ଗାଁ ଦାଣ୍ଡରୁ ନିଖୋଜ ହୋଇଥିବା ପରୀର ୨୩ ତାରିଖରେ ଗଳିତ ଶବ ମିଳିଥିଲା । ଏହା ମଧ୍ୟରେ ପୁଲିସ ବିଭିନ୍ନ ଦିଗକୁ ଦୃଷ୍ଟି ଦେଇ ତଦନ୍ତ ଜାରି ରଖିଥିବା ବେଳେ ଏହା ପଛର ରହସ୍ୟ ଏବଂ ଅପରାଧି ପାଖରେ ପଂହଚିପାରି ନାହିଁ । ଯାହାକୁ ନେଇ ୨୮ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦୁଇ ସାମାଜିକ କର୍ମୀ ଭୁବନ ହାତୀ ଏବଂ ଶାନ୍ତନୁ ବିଶୋଇ ଆମରଣ ଅନଶନ ଆରମ୍ଭ କରିଥିବା ବେଳେ ପୁଲିସ ସେମାନଙ୍କୁ ୨୯ ତାରିଖରେ ଉଠାଇ ଆଣି ଡାକ୍ତରଖାନାରେ ଭର୍ତ୍ତୀ କରିଛି । ଡାକ୍ତରଖାନାରେ ଚିକିତ୍ସାକୁ ବାରଣ କରି ସାମାଜିକ କର୍ମୀମାନେ ଅନଶନ ଜାରି ରଖିଛନ୍ତି । ଧିରେ ଧିରେ ସାମାଜିକ କର୍ମୀମାନେ ଦୁର୍ବଳ ହେଉଥିବା ଆଜି ଦେଖିବାକୁ ମିଳିଛି ।





