ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରର ପ୍ରତିଷ୍ଠିତ ସାହିତ୍ୟନୁଷ୍ଠାନ ‘ପରମ୍ପରା’ର ୨୫ ବର୍ଷ ଅବସରରେ ଏହାର ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ପରମ୍ପରାର ସଭାପତି ସୁକାନ୍ତି ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପୈାର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଯୋଗ ଦେଇ ସାହିତ୍ୟ ଏବଂ ସଂସ୍କୃତି ପାଇଁ ନୟାଗଡ଼ର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ତାଙ୍କ ସହିତ ଉକ୍ତ ଅଧିବେଶନରେ ବରିଷ୍ଠ ସାହିତ୍ୟିକ ବିରଞ୍ଚି ନାରାୟଣ ତ୍ରିପାଠୀ, ଶେଖ୍ ଅବଦୁଲ୍ ଖାଲିକ୍, କବୟତ୍ରୀ ବରିରନ୍ ବିବି ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅଧିବେଶନରେ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଅଧିବେଶନ୍ରେ ଅଧ୍ୟାପକ ଡ. ପବିତ୍ର କୁମାର ସୁବୁଦ୍ଧି, ଓଡ଼ିଶା ସାହିତ୍ୟ ଏକାଡେମୀ ନୟାଗଡ଼ ଜିଲ୍ଲା ସଦସ୍ୟ ଅଶୋକ କୁମାର ନାୟକ, ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ସଭାପତି ପ୍ରଧାନୀ ବୃନ୍ଦାବନ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ‘ଆଧୁନିକ କବିତାର ଜୀବନ ବୋଧ’ ଶୀର୍ଷକ ଉପରେ ଆଲୋଚନା କରିଥିଲା । ଏହି ଉତ୍ସବରେ ପରିଷଦର ମୁଖପତ୍ର ‘ପ୍ରାଚ୍ୟ ପରମ୍ପରା’ ଉନ୍ମୋଚିତ ହେବା ସହ ପରମ୍ପରା ପ୍ରକାଶନର ପ୍ରକାଶିତ ୧୦ଟି ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଜିଲ୍ଲାର ତଥା ଜିଲ୍ଲା ବାହାରର ବହୁ ପ୍ରତିଭାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଚଳିତ ବର୍ଷର ପରମ୍ପରା ସମ୍ମାନ-୨୦୨୦ କବି ପାଣ୍ଡବ ନାୟକଙ୍କୁ ପ୍ରଦାନ କରାଯାଇଥିବା ବେଳେ ପରମ୍ପରା ଯୁବ କବି ସମ୍ମାନ ପ୍ରଭୂଦତ୍ତ ପ୍ରଧାନ ଓ ଯୁବ କବୟତ୍ରୀ ସମ୍ମାନ ଝିଲିମିଲି ସାହୁଙ୍କୁ ପ୍ରଦାନ କରାଯାଇଥିଲା । ଏଥିସହିତ ପରମ୍ପରା ସାହିତ୍ୟ ଓ ସଂସ୍କୃତି ପରିଷଦ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତ୍ତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କର ପ୍ରଦାନ କରାଯାଇଛି । ବ୍ୟଙ୍ଗକବି ରସିକ ଶେଖର ଆର୍ତ୍ତତ୍ରାଣ ଓ ରବିନ୍ଦ୍ର ରାଉତ ସେମାନଙ୍କର ବ୍ୟଙ୍ଗ କବିତା ମାଧ୍ୟମରେ ଦର୍ଶକଙ୍କୁ ବିମୋହିତ କରିଥିଲେ ।






