ନୟାଗଡ଼,(ବାଘୁଆବାର୍ତ୍ତା): ଗତବର୍ଷର କରୋନା କାଳରେ ଜୀବନକୁ ବାଜି ଲଗାଇ କରୋନା ରୋଗୀଙ୍କ ଚିକିତ୍ସା କରିଥିବା ଠିକା ପାରା ମେଡିକାଲ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବି ନେଇ ଆଜି ଜିଲ୍ଲାପାଳଙ୍କ ନିକଟରେ ଦାବି ହୋଇଛି । ଏହି କର୍ମଚାରୀମାନଙ୍କୁ ଗତବର୍ଷ ମାର୍ଚ୍ଚ ମାସରେ ନିଯୁକ୍ତି ମିଳିଥିଲା । ୯ ମାସ କାଳ ବିଭିନ୍ନ କୋଭିଡ୍ କେୟାର ସେଣ୍ଟର ଏବଂ କୋଭିଡ୍ ହସ୍ପିଟାଲରେ ଜୀବନକୁ ବାଜିରେ ଲଗାଇ କର୍ମଚାରୀମାନେ କାମ କରିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ଗଞ୍ଜାମ, ନୂଆପଡ଼ା ଏବଂ ଅନ୍ୟ ଜିଲ୍ଲାରେ ଛଟେଇ ପାରା ମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି କରାଯାଉଥିବା ବେଳେ ନୟାଗଡ଼ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଏହି କର୍ମଚାରୀଙ୍କ ଜୀବନ ଜୀବିକା ସହ ଖେଳ ଖେଳୁଥିବା ଜଣାଯାଇଛି । ଆଜି କର୍ମଚାରୀମାନେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ପରେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ପାଇଁ ଦାବି କରିଛନ୍ତି । ଏନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା କର୍ମଚାରୀମାନେ କହିଛନ୍ତି ।





