ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପାଣିପୋଇଲାଠାରେ ନୂତନ ଚିନିକଳ ପ୍ରତିଷ୍ଠା ଦାବିରେ ଆଜି ଶତାଧିକ ଚାଷୀ ଓ କର୍ମଚାରୀଙ୍କୁ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଚାଷୀ ଓ କର୍ମଚାରୀମାନେ ପଦଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନୂତନ ଚିନିକଳ ନିର୍ମାଣ ସମ୍ପର୍କରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ନୟାଗଡ଼ରେ ନୂତନ ଚିନିକଳ ସ୍ଥାପନ ନିମନ୍ତେ ଜିଲ୍ଲା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ନୟାଗଡ଼ ପାଣିପୋଇଲା ତଥା ଆଖପାଖ ଅଞ୍ଚଳରେ ଆଖୁଚାଷ ବ୍ୟାପକତାକୁ ଦୃଷ୍ଟିରେ ରଖି ଚାଷୀକୁଳ ଆର୍ଥିକ ବିକାଶ ନିମନ୍ତେ ଚିନିକଳ ପ୍ରତିଷ୍ଠା କରାଯାଇଥିଲା । ଏହି ଅଞ୍ଚଳରେ ଆଖୁ ଚାଷର ଚାହିଦା ଦେଖି କେନ୍ଦ୍ର ସରକାର ଏଠାରେ ଏକ ଆଖୁ ଗବେଷଣା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରିଛନ୍ତି । ନୂତନ ଚିନିକଳ ପ୍ରତିଷ୍ଠା ନିମନ୍ତେ ଏଠାରେ ସମସ୍ତ ପ୍ରକାର ଉପାଦାନ ଯଥା ନିର୍ବିବାଦୀୟ ଯାଗା, ପ୍ରଚୁର ଜଳର ଉତ୍ସ, ପରିବହନ ଓ ଗମନା ଗମନର ସୁବିଧା, ଯାନବାହାନ ରଖିବା ସ୍ଥାନ ଓ ପ୍ରଦୂଷଣ ମୁକ୍ତ ବ୍ୟାପକ ଜଙ୍ଗଲ ଜମି ଏବଂ ଜନବସତିଠାରୁ ଦୂର ସ୍ଥାନକୁ ମିଳିତ କ୍ରିୟାନୁଷ୍ଠାନ କମିଟି ଚିହ୍ନଟ କରିଛି ।

ଜିଲ୍ଲା ପ୍ରଶାସନ ଗମେଇଠାରେ ଚିନିକଳ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିଥିବାରୁ ମିଳିତ କ୍ର୍ରିୟାନୁଷ୍ଠାନ କମିଟି, ଚାଷୀ ଓ ପୁରାତନ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛି । ଏଣୁ ପାଣିପୋଇଲାଠାରେ ନୂଆ ଚିନିକଳ ପ୍ରତିଷ୍ଠା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ପଦଯାତ୍ରା ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ମନୋଜ କୁମାର ସାହୁ, ସମ୍ପାଦିକା ଲଳିତା ଦାସ, କୋଷାଧ୍ୟକ୍ଷ ବୈକୁଣ୍ଠନାଥ ରାଉତ, କୃଷକ ପ୍ରତିନିଧି ଚକ୍ରଧର ଜେନା, ଭାରତୀୟ କିସାନ ମୋର୍ଚ୍ଚା ନୟାଗଡ଼ ଜିଲ୍ଲା ପ୍ରତିନିଧି, ଚିନିକଳ ୟୁନିଅନ ସଭାପତି ଲଷ୍ମୀଧର ସାହୁଙ୍କ ସମେତ ବହୁ ଚାଷୀ ସାମିଲ ହୋଇଥିଲେ ।






