କୋରାପୁଟ, (ବାଘୁଆବାର୍ତ୍ତା): ରାଜନୀତିରୁ ସନ୍ନ୍ୟାସ ନେବେ ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି । ଆସନ୍ତା ୧୦ ତାରିଖ ଭିତରେ ଦଳ ଛାଡ଼ିବେ । ଏକଥା ନିଜେ ସ୍ପଷ୍ଟ କରିଛନ୍ତି ଜୟରାମ । କହିଛନ୍ତି, ଦୀର୍ଘ ୪୪ ବର୍ଷ ରାଜନୀତିରେ ସକ୍ର୍ରିୟ ରହିଲେ । ବିଧାୟକ, ମନ୍ତ୍ରୀ ଓ ସାଂସଦ ହେଲେ । ଏବେ ଦଳଗୁଡ଼ିକରେ ରହି କାମ କରିବାକୁ ସ୍ୱାଧୀନତା ନାହିଁ । ତେଣୁ ଦଳ ଛାଡ଼ି ମା’ ମାଟିର ବିକାଶ ପାଇଁ କାମ କରିବେ । ଦିନକ ତଳେ ଗଠନ କରିଥିବା ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦରେ ରହି ଏହି କାମକୁ ଆଗେଇନେବେ । ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଜୟରାମ କହିଛନ୍ତି, ଅବିଭକ୍ତ କୋରାପୁଟ ଜିଲ୍ଲା ସହ କନ୍ଧମାଳର ବିକାଶ ଲାଗି ସୋମବାର ଗଠନ କରାଯାଇଛି ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ । ଏହାକୁ ଅବିଭକ୍ତ କୋରାପୁଟ ଜିଲ୍ଲାର ସବୁ ଦଳର ନେତୃବର୍ଗଙ୍କ ସମର୍ଥନ ରହିଛି । ଆସନ୍ତା ୧୦ ତାରିଖରେ ପରିଷଦର ଦ୍ୱିତୀୟ ବୈଠକ ଟାଉନ୍ ହଲରେ ବସିବ। ଅବିଭକ୍ତ କୋରାପୁଟ ସମେତ କନ୍ଧମାଳ ଜିଲ୍ଲା, ଆନ୍ଧ୍ର ଏବଂ ଛତିଶଗଡ଼ ରାଜ୍ୟର କିଛି ଅଞ୍ଚଳକୁ ନେଇ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା ପାଇଁ କେନ୍ଦ୍ର ନିକଟରେ ଦାବି କରାଯିବ । ଯାହାକି ପରିଷଦ ଗଠନର ମୂଳ ଉଦ୍ଦେଶ୍ୟ । ତେଣୁ ଜଣେ ଦୁଇଟି ଜାଗାରେ ରହି କାମ କରିବା ସମ୍ଭବ ନୁହେଁ । ଏହି କାରଣରୁ ବିଜେପି ଛାଡ଼ୁଥିବା ସ୍ପଷ୍ଟ କରିଛନ୍ତି । ଶ୍ରୀ ପାଙ୍ଗି କହିଛନ୍ତି, ୧୯୭୫ରେ ସ୍ୱର୍ଗତ ବିଜୁ ବାବୁଙ୍କ ଡାକରାରେ ରାଜନୀତିରେ ଯୋଗଦେଇଥିଲେ । ୧୯୭୭ରେ ଶିକ୍ଷକତା ଛାଡ଼ି ଜନତା ପାର୍ଟି ପକ୍ଷରୁ ବିଧାୟକ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ । ସେତେବେଳେ ବିଜୁ ବାବୁ, ଚରଣ ସିଂଙ୍କ ଲୋକ ଦଳରେ ସାମିଲ ହୋଇଥିଲେ । ତେଣୁ ସେ ମଧ୍ୟ ଲୋକ ଦଳରେ ମିଶିଥିଲେ । ବିଧାୟକ ଥାଇ ଲୋକ ଦଳରେ କୋରାପୁଟ ସାଂସଦ ପ୍ରାର୍ଥୀ ଭାବେ ୧୯୭୯ରେ ଗିରିଧର ଗମାଙ୍ଗଙ୍କ ବିରୋଧରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୧୯୮୦ରେ ପଟ୍ଟାଙ୍ଗି ଆସନରୁ ବିଧାୟକ ପ୍ରାର୍ଥୀ ହୋଇ ହାରିଥିଲେ । ସେହିବର୍ଷ ଜନତା ଦଳରେ ସାମିଲ ହୋଇଥିଲେ । ୧୯୮୦ରୁ ୧୯୯୦ ପର୍ୟ୍ୟନ୍ତ ଯୁବ ଜନତା ଦଳର ସଭାପତି ଭାବେ କାମ କରିଥିଲେ । ୧୯୮୭ରେ ଶ୍ରେଷ୍ଠ ୱାର୍କର ଭାବେ ବିଜୁ ବାବୁ ତାଙ୍କୁ ଏକ ବୁଲେଟ ଗାଡ଼ି ଦେଇ ପୁରସ୍କୃତ କରିଥିଲେ । ୧୯୯୦ରେ ବିଜୁ ବାବୁ କ୍ଷମତାକୁ ଆସିବା ପରେ ତାଙ୍କ ମନ୍ତ୍ରିମଣ୍ଡଳରେ ସଦସ୍ୟ ହୋଇଥିଲେ । ବିଜୁ ବାବୁଙ୍କ ବିୟୋଗ ପରେ ନବଗଠିତ ବିଜେଡିରେ ସାମିଲ ହୋଇଥିଲେ । ୨୦୦୯ରେ ସାଂସଦ ହୋଇଥିଲେ । କିନ୍ତୁ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଭୁଲ ବୁଝାମଣା ପାଇଁ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । କୌଣସି ଦୋଷ ନଥାଇ ନିଲମ୍ବନ କରାଯିବାରୁ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ବୋଲି କହିଛନ୍ତି ଜୟରାମ ।






