ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ ପଞ୍ଚାୟତ ରାଜ ଦିବସ ତଥା ବିଜୁ ଜନ୍ମ ଜୟନ୍ତି ସମାରୋହ ସ୍ଥାନୀୟ ଡିଆର୍ଡିଏ ସୃଜନ ସଭା ଗୃହରେ ପାଳିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତିମାଳ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ, ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା, ବିଡିଓ ମନୋଜ ପାତ୍ର ପ୍ରମୂଖ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧି ଏବଂ ସରକାରୀ କର୍ମଚାରୀ ମିଳିମିଶି କାମ କଲେ ଜିଲ୍ଲା ବିକାଶ ପଥରେ ଆଗେଇବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ମତବ୍ୟକ୍ତ କରିଥିଲେ । ସେହିଭଳି ଭାବେ ବିଜୁଙ୍କ ସ୍ମୃତିକୁ ରୋମନ୍ଥନ କରି ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏବଂ ସାମ୍ବାଦିକ ରାମକୃଷ୍ଣ ରଥ ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଥିଲେ । କବି ଓ କଥାକାର ଶରତ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।






