ଇସଲାମାବାଦ,(ବାଘୁଆବାର୍ତ୍ତା): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଓ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ପାକିସ୍ତାନ ସରକାର ଏହାକୁ ଅସ୍ବୀକାର କରିଛନ୍ତି। ସରକାର କହିଛନ୍ତି ଯେ ଇମ୍ରାନ୍ ଖାନ୍ ଓ ବାଜୱାଙ୍କ ମଧ୍ୟମରେ କୌଣସି ବିବାଦ ନାହିଁ। ସୂଚନାଯୋଗ୍ୟ ଯେ, ନୂତନ ଆଇଏସ୍ଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ନଦିମ ଅହମଦ ଅଞ୍ଜୁମଙ୍କ ନିଯୁକ୍ତିକୁ ନେଇ ବାଜୱାଙ୍କ ସହ ଇମ୍ରାନଙ୍କ ମତଭେଦ ସୃଷ୍ଟି ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ନୂତନ ଆଇଏସ୍ଆଇ ମୁଖ୍ୟଙ୍କ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେ ବର୍ତ୍ତମାନର ଆଇଏସ୍ଆଇ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫୈଜ ହମିଦ ହିଁ ତାଙ୍କ ପଦରେ ଥାନ୍ତୁ ବୋଲି ଚାହୁଁଥିଲେ। କିନ୍ତୁ ଅକ୍ଟୋବର ୬ ତାରିଖରେ ପାକିସ୍ତାନ ସେନା ଇମ୍ରାନ୍ଙ୍କ ଇଚ୍ଛା ବିରୋଧରେ ଲେଫ୍ଟନାଣ୍ଟ ଜେନେରାଲ ନଦିମ ଅହମଦ ଅଞ୍ଜୁମଙ୍କୁ ଆଇଏସ୍ଆଇର ନୂଆ ମୁଖ୍ୟ ଘୋଷଣା କରିଦେଲା। ଏହା ଇମ୍ରାନ୍ଙ୍କୁ ଝଟ୍କା ଦେଇଥିଲା। ପରମ୍ପରା ଅନୁସାରେ ଆଇଏସ୍ଆଇ ମୁଖ୍ୟଙ୍କ ନିଯୁକ୍ତି ଘୋଷଣା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କରାଯାଇଥାଏ। କିନ୍ତୁ ଏଥର ପାକିସ୍ତାନ ସେନା ସେ ପରମ୍ପରାକୁ ଭାଙ୍ଗି ନିଜ ମନଇଚ୍ଛା ଘୋଷଣା କରିଦେଇଛି। ପାକିସ୍ତାନର ନିୟମ ଅନୁସାରେ ସେନା ମୁଖ୍ୟଙ୍କ ସହ ପରାମର୍ଶ କରି ପ୍ରଧାନମନ୍ତ୍ରୀ ଆଇଏସ୍ଆଇ ମୁଖ୍ୟଙ୍କୁ ନିଯୁକ୍ତ କରିବା କଥା। ପାକିସ୍ତାନ ସୂଚନା ମନ୍ତ୍ରୀ ଫୱାଦ ଚୌଧରୀ ଗତ ସପ୍ତାହରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ବାଜୱାଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏ ପ୍ରସଙ୍ଗରେ ଲମ୍ବା ବୈଠକ ହୋଇଥିଲା। ତାଙ୍କ ଭିତରେ ମତଭେଦ କିଛି ନାହିଁ। ତେବେ ରିପୋର୍ଟ ଅନୁସାରେ ବାଜୱା କୁଆଡ଼େ କହିଥିଲେ, ସେନା ମାମଲାରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିବା ଉଚିତ ନୁହେଁ। ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନୂତନ ଆଇଏସ୍ଆଇ ମୁଖ୍ୟଙ୍କ ନିଯୁକ୍ତିକୁ ସ୍ଥଗିତ ରଖାଯାଇଛି ଏବଂ ଅଦ୍ୟାବଧି ଏ ସମ୍ପର୍କରେ କୌଣସି ଅଧିସୂଚନା ପ୍ରକାଶ ପାଇ ନାହିଁ।






